ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା।

ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା। ଜୁନ ୧୧ ତାରିଖ ପବିତ୍ର ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନ ଛାଡ଼ି, ପହଣ୍ଡି ହୋଇ ସ୍ନାନ ମଣ୍ଡପରେ ବିଜେ କରିବେ। ସେହିଦିନ ପ୍ରତିରଥର ଚାରି ନାହାକା ଉଠିବ। ଏଥିପାଇଁ ୪୨ ଚକରେ ୨୧ ଅଖ ସଂଯୋଗ ହେବ। ଅଖକୁ ବାନ୍ଧି ରଖିବା ପାଇଁ ଦଣ୍ଡା ବାଡିଆ ହେବ। ଗରଗରାରେ ଚାରିଟି ବିନ୍ଧ କରାଯାଇ ନାହାକା ସଂଯୋଗ ହେବ। ପ୍ରକାଶ ଥାଉକି ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତି ରଥର ଦୁଇଟି ଚକ ସହ ଅଖ ସଂଯୁକ୍ତ କରାଯାଇ ତିନୋଟି ଅଲଗା ଅଲଗା ସ୍ଥାନରେ ଦଣ୍ଡାୟମାନ କରାଯିବ। ନାହାକା ଚକ ଅଖ ପରେ ଅନ୍ୟ ଅଖ ଓ ଚକ ପର୍ଯ୍ୟାୟକ୍ରମେ ଡେରାଯିବ। ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ ଟି ଚକ ଏବଂ ୮ ଟି ଅଖ ରହିଥାଏ। ଶ୍ରୀ ବଳଭଦ୍ର ତାଳଧ୍ଵଜ ରଥରେ ୧୪ ଟି ଚକ ଏବ୍ଂ ୭ ଟି ଅଖ ରହିଥାଏ। ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ ଟି ଚକ ଏବଂ ୬ ଟି ଅଖ ରହିଥାଏ।

କରଡ଼ି ସେବକ କାଠଗଣ୍ଡି ଗୁଡିକ କାଟିଥାନ୍ତି। ସୁତାର ସେବକ ମାନେ କଳା ସୁତାରେ ଚିହ୍ନଟ କରିଥାନ୍ତି। ମହାରଣା ମାନେ ତୁମ୍ବକୁ ମର୍ଦଳ ପରି ଗୋଲାକାର କରିଥାନ୍ତି। ପ୍ରତି ତୁମ୍ବରେ ୧୬ ଯୋଡା ବିନ୍ଧ କରାଯାଇଥାଏ। ରଥ ଖଳା ରେ ମହାରଣା ସେବକ, ଭୋଇସେବକ ,କରଡ଼ି ସେବକ , ରୂପକାର ସେବକ, ତୁମ୍ବବିନ୍ଧ କାରିଗର, ପାହି ମହାରଣା, ରଥ ଖଳା ସହାୟକ ଏବଂ କମାର ସେବକ ରଥ ନିର୍ମାଣରେ ନିମଗ୍ନ ରହିଛନ୍ତି। ମହାପ୍ରଭୁଙ୍କ ରଥ ନିର୍ମାଣ ଦର୍ଶନ ପାଇଁ ରଥ ଖଳାରେ ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଭକ୍ତମାନେ ପ୍ରଣାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଅଛି।

ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ୱତନ୍ତ୍ର ପ୍ରତିନିଧି ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *