ଜଗନ୍ନାଥଙ୍କ ନୀତିକାନ୍ତି ମାନବ ସମାଜର ଚଳଣି ସହିତ ବହୁ ସମାନତା ଅଛି। ଯେପରିକି ଜଣେ ଯୁବକ ଜ୍ୱରରୁ ଉଠିଲା ପରେ ପ୍ରାୟତଃ ମାଉସୀ ଘରକୁ ଯାଆନ୍ତି। ସେହିଭଳି ଜଗନାଥଙ୍କର ଅଣସର ଘରୁ ଆରମ୍ଭ ହେଇଥାଏ ରଥଯାତ୍ରାର ପୌରାଣିକ କଥା।
ଜଗନ୍ନାଥଙ୍କ ପ୍ରେମୀ ଏବଂ ତତ୍ତ୍ୱ ବିଶାରଦ ମାନେ ମତ ଦିୟନ୍ତି ” ସତରେ କଣ ବିଶ୍ଵନିୟନ୍ତା ମହାପ୍ରଭୁଙ୍କୁ ବି ଜ୍ୱର ହୁଏ ଆଉ ତାଙ୍କର ବି ବୈଦ୍ୟ ଉପଚାର କରନ୍ତି”! ହଁ ଆଜ୍ଞା କଥାଟି ସତ୍ୟ। ଆସନ୍ତୁ ପୌରାଣିକ କଥା ବସ୍ତୁ ଉପରେ ଆଲୋକପାତ କରିବା। ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନିଅନ୍ତି। ଏହି ସମୟରେ ଦଇତାପତି ସେବକ ଓ ପତିମହାପାତ୍ର ସେବକ ମହାପ୍ରଭୁ ଙ୍କ ଗୁପ୍ତ ଲୀଳା ସମ୍ପାଦନ କରିଥାନ୍ତି। ଏଠାରେ ସୂଚିତ ଯେ, ମହାପ୍ରଭୁ ଙ୍କ ଅଣସର ଲୀଳାରେ ରହିଛି ଅନେକ ଲୁକ୍କାୟିତ ରହସ୍ୟ। ଶାସ୍ତ୍ର ବାରଣ କରେ, ଏହି ସବୁ ରହସ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ। ମହାପ୍ରଭୁ ଙ୍କ ସେବା ମାନଙ୍କ ଭିତରେ ଅଣସର ସେବା ହେଉଛି ଏକ ସମ୍ପୂର୍ଣ୍ଣ ଗୁପ୍ତ ସେବା। ଏହି ସେବାବେଳେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ଘେରା ଯାଇ ଆବଦ୍ଧ କରି ଦିଆଯିବା ପରେ ବାହାରପଟେ ବଡ ଖଟିଆ ଟିଏ ପଡେ। ସେଥିରେ ମହାପ୍ରଭୁ ଙ୍କ ପ୍ରତିନିଧି ଶ୍ରୀରାମ, ଶ୍ରୀ ନୃସିଂହ, ଶ୍ରୀକୃଷ୍ଣ, ଶ୍ରୀଦେବୀ, ଭୁଦେବି, ଶ୍ରୀ ମଦନମୋହନ ଓ ଶ୍ରୀ୍ଦୋଳଗୋବିନ୍ଦ ଆଦି ବିଜେ କରନ୍ତି। ଏମାନଙ୍କ ସହିତ ତାଟିରେ ତିନିଦିଅଁ ଶ୍ରୀ ଅନନ୍ତବାସୁଦେବ, ମା ଭୁବନେଶ୍ୱରୀ ଓ ଶ୍ରୀ ଅନନ୍ତ ନାରାୟଣ ପୂଜା ପାଆନ୍ତି। ଅଣସର ସମୟରେ ଏହି ଦଶ ଦିଅଁ ଙ୍କ ସମ୍ମୁଖରେ ମହାପ୍ରଭୁ ଙ୍କର ନିତିଦିନର ନିତି ସମ୍ପର୍ଣ୍ଣ କରେ।
ଅନ୍ୟପଟେ ଅଣସର ପିଣ୍ଡିରେ ଦାରୁଦିଅଁ ଙ୍କର ଗୁପ୍ତଲୀଳା ଚାଲିଥାଏ ଓ ସେଠାରେ ଆଠଟି ନିଷିଦ୍ଧ ନିୟମ ରହିଅଛି। ଅଣସର ଗୃହକୁ ଦଇତା ଓ ପତିମହାପାତ୍ର ସେବକ ଙ୍କ ବ୍ୟତୀତ ଅନ୍ୟ ସେବକ ଯାଇପାରିବେ ନାହିଁ। ଅଣସର ଘରେ ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକ ବ୍ୟବହାର କରା ଯାଇ ପାରିବନାହିଁ। ଅଣସର ପିଣ୍ଡିରେ ଧଳା ଫୁଲ ବ୍ୟତୀତ ଅନ୍ୟ କୌଣସି ରଙ୍ଗର ଫୁଲ ବ୍ୟବହାର କରା ଯାଇପାରିବ ନାହିଁ। ଅଣସର ଗୃହରେ ବ୍ୟବହୃତ ଫୁଲ ବେହରଣଦ୍ୱାର ଦେଇ ବାହାରକୁ ଆସିପାରିବ ନାହିଁ। ଏହି ସମୟରେ ଠାକୁରଙ୍କୁ କୌଣସି ରନ୍ଧା ଭୋଗ ଅର୍ପଣ କରା ଯାଇପାରିବ ନାହିଁ। ଅଣସର ଘରେ କୌଣସି ବାଦ୍ୟ ବାଜିବ ନାହିଁ, କି କୌଣସି କୋଳାହଳ ହେବ ନାହିଁ। ଏହିସମୟରେ ଠାକୁରଙ୍କୁ ପଣସ, ଆମ୍ବ ଓ ସପୁରି ଆଦିର ଚକଟା ଭୋଗ ସମର୍ପଣ କରାଯାଇଥାଏ। ଅଣସର ସମୟରେ ଯେଉଁ ସେବକ, ସେବା ଯୋଗାଇଥାନ୍ତି,ସେହିମାନେ ଏହି ଭୋଗ ହିଁ ସେବନ କରିଥାନ୍ତି। ଏହି ଫଳ ଚୋପା ମଧ୍ୟ ବାହାରକୁ ନ ଆସି ଗୋଟିଏ କୋଣରେ ଗଦା ହୋଇ ରହିଥାଏ। ଏହାକୁ “ଯୁଣ”ବୋଲି କୁହାଯାଏ।
ମହାପ୍ରଭୁ ଙ୍କ ଅଣସର ସେବାବେଳେ ଆଠଟି ନିଷିଦ୍ଧ ନିତି ରହିଛି, ଯାହା ର ଅନେକ ରହସ୍ୟ ରହିଛି, ଯାହା କି ଆଲୋଚ୍ୟ ନିଷିଦ୍ଧ କରାଯାଇଛି। ଏହି ସେବା ସମ୍ପୂର୍ଣ୍ଣ ଗୋପନୀୟ ହୋଇଥିବାରୁ, ମାଦଳା ପାଞ୍ଜି ରେ ଉଲ୍ଲେଖ ଯେ,୧୯୭୫ ମସିହା ନବକଳେବର ବେଳେ ମହାପ୍ରଭୁ ଙ୍କର ପରମ ଭକ୍ତ ବିସର ମହାନ୍ତି ଙ୍କୁ ଅଣସର ତାଟି ଭିତର ସେବା, ଭୋଇ ବଂଶର ଗଜପତି ମହାରାଜା ପ୍ରଥମ ରାମଚନ୍ଦ୍ର ଦେବ,ତାଙ୍କ ମୁଣ୍ଡରେ ଶାଢ଼ୀ ବାନ୍ଧି ସମର୍ପିତ କରିଥିଲେ।
ଏହା ସୂଚିତ କରେକି, ଶ୍ରୀ ମହାନ୍ତି,ଶ୍ରୀ ବିଗ୍ରହ ମାନଙ୍କ ଙ୍କ ଅର୍ଦ୍ଧପୋଡ଼ା ବ୍ରହ୍ମ କୁ ଗଙ୍ଗାକୂଳରୁ ନିଜ ମୃଦଙ୍ଗ ଭିତରେ ଲୁଚାଇ, ଆଣି ଗଡ଼କୁଜଙ୍ଗ ରେ ରଖିଥିଲେ। ତେଣୁ ସେ ଅଣ ସେବକ ହୋଇ ମଧ୍ୟ ଓ ଆଠଟି ନିଷିଦ୍ଧ ସେବା ଥାଇ ମଧ୍ୟ ମହାରାଜ ତାଙ୍କୁ ସସମ୍ମାନେ ନିମନ୍ତ୍ରଣ କରି, ମୁଣ୍ଡରେ ଶାଢୀବାନ୍ଧି, ଏହି ଅଣସର ସେବା ଭଳି ଏକ ଦୁଲ୍ଲଭ ଭିତର ଗୁପ୍ତ ସେବା ପ୍ରଦାନ କରିଥିଲେ। ବଡ ଓଡ଼ିଆ ମଠ ଦ୍ୱାରା ମାସାଧିକ କାଳ, ବିଭିନ୍ନ ଚେରମୂଳରେ ପ୍ରସ୍ତୁତ ଫୁଲୁରୀ ତେଲ ଓ ଅନ୍ୟାନ୍ୟ ଚେରମୁଳୀର କ୍ଵାଥ ବ୍ୟବହାର କରାଯାଇ ଶ୍ରୀବିଗ୍ରହ ମାନଙ୍କୁ ଜ୍ୱର ରୁ ଉପସମ କରାଯାଇଥାଏ। ତାପରେ ମହାପ୍ରଭୁ ସୁସ୍ଥ ହେଲାପରେ ନବଯୌବନ ରେ ଦର୍ଶନ ଦିଅନ୍ତି ଭକ୍ତ ମାନଙ୍କୁ। ତାପରର ଯାତ୍ରା ଶ୍ରୀ ମନ୍ଦିରରୁ, ଶ୍ରୀ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ବଡଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହୁଏ।
ପୁରୀ ରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।