ଓଡ଼ିଶାର ଶ୍ରୀଜୀଉ ମାନେ ହେଉଛନ୍ତି ଏକାଧାରାରେ ବଡଠାକୁର ରାଜା ଏବଂ ଭକ୍ତର ଭଗବାନ । ସୁନାବେଶ ଦିନ ମହଣ ମହଣ ସୁନାରେ ଛାଉଣି ହୋଇଥିଲେ ଦାରୁବ୍ରହ୍ମ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଥିଲେ । ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିଲେ ଜଗତାଧିପତି। ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ, ଏହି ବେଶ ଦର୍ଶନ ପାଇଁ ବହୁ ଭକ୍ତ ଉତ୍କଣ୍ଠାରେ ପ୍ରତୀକ୍ଷା କରିଥିଲେ । ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଓ ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଇଛନ୍ତି।
ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଥିଲା। ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶଓଲାଗି (ଖୋଲା ହେବ) ହୋଇଥିଲା। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିଛନ୍ତି। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରିଛନ୍ତି। ନିର୍ଘଣ୍ଟ ନୀତି ଅନୁଯାୟୀ, ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ହୋଇଥିଲା। ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହୋଇଥିଲା। ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ମଇଲମ(ଖୋଲାଯିବ) ହୋଇଥିଲା। ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା। ରାତି ସାଢ଼େ ଗୋଟାଏରେ ଶୟନ ପାଇଁ ଠାକୁର ବିଜେ କରିଥିଲେ। ଭୋର ୪ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା।
ପୁରୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।
ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀବିଗ୍ରହ।
