ଓଡ଼ିଶାର ପର୍ଯ୍ୟଟନ ବିକାଶରେ ନୂତନ ମାଇଲଖୁଣ୍ଟ, ଏକାକାଳୀନ ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

ଓଡ଼ିଶାର ପର୍ଯ୍ୟଟନ ବିକାଶରେ ନୂତନ ମାଇଲଖୁଣ୍ଟ, ଏକାକାଳୀନ ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ। ଏହି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତାକୁ ବିଶ୍ୱସ୍ତରରେ ପହଞ୍ଚାଇବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ଓଡ଼ିଶାର ଅତୁଳନୀୟ ସାଂସ୍କୃତିକ ଐତିହ୍ୟକୁ ପୁନର୍ଜୀବିତ ଏବଂ ପ୍ରୋତ୍ସାହିତ କରିବ ବୋଲି ମତ ବ୍ୟକ୍ତ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।


ଆଜି ଲୋକସେବା ଭବନରେ ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଦର ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗ ଦେଇଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତିନୋଟି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା ବିଶ୍ୱସ୍ତରରେ ଏହାର ପ୍ରଭାବ ବିସ୍ତାର କରିବାରେ ସହାୟକ ହେବ । ଏଥିସହ ଏହି ପ୍ରକଳ୍ପଗୁଡ଼ିକୁ ମିଶନ୍ ମୋଡରେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ସେହିପରି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବୌଦ୍ଧ ପର୍ଯ୍ୟଟନ ପଦକ୍ଷେପକୁ ଏକ ଐତିହାସିକ ସହଭାଗୀତା ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ଓଡ଼ିଶାର ଅତୁଳନୀୟ ସାଂସ୍କୃତିକ ଐତିହ୍ୟକୁ ପୁନର୍ଜୀବିତ ଏବଂ ପ୍ରୋତ୍ସାହିତ କରିବ । ମୁଖ୍ୟ ଶାସନ ସଚିବ ଓଡ଼ିଶା ଭିଜନ୨୦୩୬ ରେ ପର୍ଯ୍ୟଟନର ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ପର୍ଯ୍ୟଟନ କେବଳ ଆର୍ଥିକ ବିକାଶରେ ଯୋଗଦାନ ଦେଉନାହିଁ ବରଂ ସଂସ୍କୃତିକୁ ସଂରକ୍ଷଣ ଏବଂ ଜୀବିକା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରୁଛି ।


କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଏହି ସହଯୋଗଗୁଡ଼ିକ ଓଡ଼ିଶା ପାଇଁ ଏକ ସ୍ଥିର, ଅନ୍ତର୍ଭୁକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପର୍ଯ୍ୟଟନ ଇକୋସିଷ୍ଟମ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଐତିହ୍ୟ ସଂରକ୍ଷଣ ଓ ସାଂସ୍କୃତିକ ପର୍ଯ୍ୟଟନ ଉପରେ ମିଳିତ ଧ୍ୟାନ ଦେଇ, ରାଜ୍ୟ ଆଗାମୀ ବର୍ଷଗୁଡ଼ିକରେ ଭାରତର ସବୁଠାରୁ ଆକର୍ଷଣୀୟ ସ୍ଥଳୀ ଭାବରେ ଉଭା ହେବାକୁ ଲକ୍ଷ୍ୟ ରଖିଛି ।
ଭୁବନେଶ୍ୱରରୁ ରୋଜାଲିନ୍ ସାହୁ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *