ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସତର୍କ ରହିବା ଓ ଅଂଶୁଘାତ ଜନିତ ସୁରକ୍ଷା

ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସତର୍କ ରହିବା ଓ ଅଂଶୁଘାତ ଜନିତ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତ୍ୟଧିକ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି । ଏଣୁ ଜିଲ୍ଲାବାସୀଙ୍କୁ ସୁରକ୍ଷା ଦେବା ସହ ପ୍ରଶାସନ ପକ୍ଷରୁ ସମସ୍ତ ଆଶୁ ପଦକ୍ଷେପ ପୂର୍ବରୁ ଗ୍ରହଣ କରିବାକୁ ହେବ। ଏଥି ନିମନ୍ତେ ସମସ୍ତ ବିଜୁଳି ବିଭାଗ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ପୂର୍ବପ୍ରସ୍ତୁତି କରି ସଜାଗ ରହିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଠାରୁ ଜଳକ୍ଲୀଷ୍ଟ ଅଞ୍ଚଳ ଗୁଡିକ ଚିହ୍ନଟ କରି ଜଳ ଯୋଗାଣର ବ୍ୟବସ୍ଥା, ଚିକିତ୍ସାଳୟ ଗୁଡିକରେ ଅଂଶୁଘାତ ଜନିତ ଚିକିତ୍ସା ସକାଶେ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଜଳଛତ୍ର କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଇଛନ୍ତି । ସହରାଞ୍ଚଳ ଗୁଡିକରେ ପ୍ରତି ଦେଢଶହ ମିଟର ଦୂରତାରେ ଗୋଟିଏ ଲେଖାଏଁ ଜଳଛତ୍ର ଖୋଲିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି। ପଶୁପକ୍ଷୀ ମାନେ ଯେପରି ପିଇବା ପାଇଁ ଜଳ ପାଇବେ ସେଥି ନିମନ୍ତେ ମଧ୍ୟ ବ୍ୟବସ୍ଥା କରିବାକୁ କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ବୈଠକରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ସକାଶେ ବିଭିନ୍ନ କାର୍ଯ୍ୟଧାରା ଗୁଡିକ ସମ୍ପର୍କରେ ଅବଗତ କରାଇ ସମସ୍ତ ବିଭାଗ ତରଫରୁ ପୂର୍ବ ପ୍ରସ୍ତୁତି କିଭଳି କରାଯାଇଛି ସେ ସମ୍ପର୍କରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ। ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଅଛି। ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କା ରହିଛି ।
ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣର ଓ.ଆର.ଏସ. ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ପ୍ରସ୍ତୁତ କରି ରଖିବା ସହିତ ଜିଲ୍ଲାର ବିଭିନ୍ନ ସିଏଚସି, ପିଏଚସି ରେ ମଧ୍ୟ ଅଂଶୁଘାତ ଜନିତ ଚିକିତ୍ସା କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଜଣାଇଛନ୍ତି । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌର ପରିଷଦ, ବ୍ଲକ,ଏନ୍‌ଏସି ପକ୍ଷରୁ ଜଳଛତ୍ର ମାନ ଖୋଲାଯିବାକୁ ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାର ସମସ୍ତ ଦର୍ଶନୀୟ ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବ l ଆବଶ୍ୟକ ସ୍ଥଳେ ଦୁର୍ଗମ ଅଞ୍ଚଳରେ ରହିଥିବା ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି l ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବାବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଅଛି। ଶ୍ରମିକଗଣ ଦିନ ୧୧ ଘ. ଠାରୁ ଅପରାହ୍ନ ୩ ଘ. ପର୍ଯ୍ୟନ୍ତ ଶ୍ରମଦାନ ନକରି ବିଶ୍ରାମ ନେବାକୁ ଶ୍ରମ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ସମ୍ପର୍କରେ ଅବଗତ କରିବା ପାଇଁ କୁହାଯାଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଦିନ ସାଢେ ଦଶଟା ପରେ ଶାରିରୀକ କ୍ରିୟାକଳାପ ନ କରାଇବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବାରୋପ କରିଥିଲେ । ଗ୍ରୀଷ୍ମ ଦିନେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ଦେଖା ନଯାଏ, ବିଦ୍ୟୁତ ଯୋଗାଣରେ ଯେପରି ବାଧା ଉପୁଜିବ ନାହିଁ ସେ ଦିଗରେ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି । ପଶୁ ମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ଘଟେ, ତେବେ ତୁରନ୍ତ ପୋଷ୍ଟମର୍ଟମ୍ ରିପୋର୍ଟ ଓ ଏଫ୍.ଆଇ.ଆର୍. ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତଗୀର, ଛତ୍ରପୁର ଉପ ଜିଲ୍ଲାପାଳ
ଶିବାଶୀଷ ବରାଡ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭିଷେକ ସାହୁଙ୍କ ସମେତ ଚିକିତ୍ସା ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଦ୍ୟୁତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଗଞ୍ଜାମରୁ ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ୍। “ଫଟୋ ନ୍ୟୁଜ ଟାଇମସ୍ ର ନିଜସ୍ଵ ମତ ଓ ମନ୍ତବ୍ୟ ହେଉଛି ଯେ ଗଞ୍ଜାମ ଜିଲ୍ଲାର ଏହି ପଦକ୍ଷେପକୁ ସମସ୍ତ ଜିଲ୍ଲା ଏକ ଖସଡା ଭାବେ ବିଚାର କରି ପଦକ୍ଷେପ ନେବା ଉଚିତ”।

Leave a Reply

Your email address will not be published. Required fields are marked *