ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ
ଅପ୍ରେଲ ୧୧ ତାରିଖରେ ସ୍ଵାସ୍ଥ୍ୟ କାର୍ଡ଼ ଲୋକାର୍ପଣ ଉତ୍ସବ ପାଳନ କରିବେ।ଦେଶର ୨୯ ହଜାରରୁ ଅଧିକ ମେଡିକାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ।୧.୩ କୋଟି ପରିବାରର ପାଖାପାଖି ୩.୫ କୋଟି ହିତାଧିକାରୀ ଲାଭବାନ ହେବେ।
୭୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼ ମିଳିବ।ସଚେତନତା ପାଇଁ ରାଜ୍ୟବ୍ୟାପୀ “ସ୍ୱାସ୍ଥ୍ୟ ଚେତନା ରଥ” ପରିଭ୍ରମଣ କରିବ।
ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ଆଧାର କାର୍ଡ଼ ଓ ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ସେବା ପାଇପାରିବେ। ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ।କାଶ୍ମୀର ଠାରୁ କନ୍ୟାକୁମାରୀ ଯୋଗ୍ୟ ଓଡ଼ିଆ ହିତାଧିକାରୀ ପାଇବେ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା।
କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ କ୍ରମରେ ଚଳିତ ମାସ ୧୧ ତାରିଖରେ ଓଡିଶାବାସୀଙ୍କ ବହୁପ୍ରତିକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସ୍ଵାସ୍ଥ୍ୟ କାର୍ଡ଼ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ ଓରାମ, ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ସ୍ଥାନୀୟ ନେତୃମଣ୍ଡଳୀ ଏହି ମହାର୍ଘ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ସୂଚନା ଦେଇଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୨୩, ୧୨, ୯୭୯ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ଏହା ଦ୍ୱାରା ରାଜ୍ୟର ସମୁଦାୟ ୩.୫ କୋଟି ଲୋକ ଉପକୃତ ହେବେ । ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବା ବେଳେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ପାଇପାରିବେ ।
ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ ଯାହାଫଳରେ ବିଶେଷକରି ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରେ କୌଣସି ଅସୁବିଧା ହେବନାହିଁ । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତ। ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ ଏବଂ ବହୁମୂଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିବେ । କାର୍ଡ଼ ବଣ୍ଟନର ତାରିଖ ଆଗୁଆ ଜଣାଇ ଦିଆଯିବ । ଆଗାମୀ ଦୁଇ ରୁ ତିନି ମାସ ମଧ୍ୟରେ ୩.୫ କୋଟି ନୂତନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ସରକାର ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।
୨୦୧୮ରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଓଡ଼ିଶା ସାମିଲ ନହେବା କାରଣରୁ ରାଜ୍ୟରେ ପାଖାପାଖି ୩୦୦୦ କୋଟି ଟଙ୍କା କେନ୍ଦ୍ର ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏବେ ଏହି ଆର୍ଥିକ ଅନୁଦାନ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବ ।
ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଓଡ଼ିଆ ଲୋକ ମାନେ ପାଇପାରୁଥିଲେ କିନ୍ତୁ ଏବେ ଦେଶର ୨୯,୦୦୦ ତାଲିକାଭୁକ୍ତ ଅଗ୍ରଣୀ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ । ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପାଇପାରିବେ ।
ସଚେତନତା ପାଇଁ ମାର୍ଚ୍ଚ ୧୧ ରୁ ଏକ ସପ୍ତାହ ବ୍ୟାପୀ ଗାଁ କୁ ଗାଁ “ସ୍ୱାସ୍ଥ୍ୟ ଚେତନା ରଥ” ପରିଭ୍ରମଣ କରିବ ।ଏହି ସାମ୍ବାଦିକ ସମ୍ମିଳନୀରେ ଭଟଲୀ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ଭୁବନେଶ୍ୱର ରୁ ସୌରଭ ପ୍ରଧାନଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ