ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର
ଅଞ୍ଚଳରେ ବେଧଡକ ଚୋରା ମାଟି ଚାଲାଣ, ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ।
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ବେଧଡ଼କ ଭାବରେ ଚୋରା ମାଟି ଓ ମୋରମ ଚାଲାଣ ଚାଲିଥିବା ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନ ଓ ରାତି ନିର୍ବିଘ୍ନରେ ଏହି ଅବୈଧ କାରବାର ଚାଲିଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ନିରବ ଦର୍ଶକ ହୋଇ ରହିଛି ବୋଲି ଅଭିଯୋଗ ଉଠିଛି।
ସୂଚନା ଅନୁଯାୟୀ, ବାଲୁଗାଁ,ବାଣପୁର ଟାଙ୍ଗୀ ଏବଂ ପାଖପାଖି ଅଞ୍ଚଳରୁ ଦିନକୁ ଶତାଧିକ ଟ୍ରିପ୍ ହାଇୱା,ଟ୍ରାକ୍ଟର ଓ ଡମ୍ପର ମାଧ୍ୟମରେ ମାଟି ଓ ମୋରମ ଚାଲାଣ ହେଉଛି। ଏହାର ପ୍ରଭାବରେ ସ୍ଥାନୀୟ ପରିବେଶ ଓ ରାସ୍ତା ବ୍ୟବସ୍ଥା ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି।

ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଯେ, ଏହି ଅବୈଧ କାରବାର ପଛରେ କିଛି ପ୍ରଭାବଶାଳୀ ଲୋକ ଓ ଠିକାଦାରଙ୍କ ହାତ ରହିଛି। ତଦୁପରି, ଏହି କାରବାରକୁ ନିର୍ବିଘ୍ନ କରିବା ପାଇଁ କିଛି ପୁଲିସ ଅଧିକାରୀ ମାସିକ ଭିତ୍ତିରେ ଅବୈଧ ଆର୍ଥିକ ଲାଭ ନେଉଛନ୍ତି ବୋଲି ଗୁପ୍ତ ସୂତ୍ରରୁ ଖବର ମିଳିଛି। ଏସ୍ଡିପିଓ ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ନାମ ଏଥିରେ ଜଡିତ ଥିବା କଥା ମଧ୍ୟ ଚର୍ଚ୍ଚାରେ ରହିଛି, ଯାହା ଘଟଣାକୁ ଅଧିକ ସନ୍ଦେହଜନକ କରିଛି।

ବିଶେଷ କରି ବାଲୁଗାଁ, ବାଣପୁର ଅଞ୍ଚଳରେ ଏହି ଚୋରା ଚାଲାଣ ବହୁତ ଜୋରଦାର ଭାବରେ ଚାଲିଥିବା ଦେଖାଯାଉଛି। ଦିନ ଦିପହରେ ଭାରି ଯାନ ଚଳାଚଳ କରିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ବିପଦ ସୃଷ୍ଟି ହେଉଛି।

ଏହି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ଖଣି ବିଭାଗଙ୍କ ତରଫରୁ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ। ଯଦି ସମୟରେ ଏହାକୁ ନିୟନ୍ତ୍ରଣ କରାଯିବ ନାହିଁ, ତେବେ ପରିବେଶ ଓ ସାଧାରଣ ଜୀବନରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞ ସତର୍କ କରାଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ରୁ ଭବାନୀ ଭୋଇ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
