ବାଚସ୍ପତି ପଦ ମର୍ଯ୍ୟାଦା ରଖୁନାହାନ୍ତି: ପ୍ରମିଳା
ବାଚସ୍ପତିଙ୍କ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପଦର ଗାରିମା କ୍ଷୁର୍ଣ୍ଣ ହୋଇଛି
ବାଚସ୍ପତିଙ୍କ ଧମକ ବିରୋଧୀ ଦଳ ଉପରେ ପ୍ରଭାବ ପଡିବ ନାହିଁ
ପାଞ୍ଚ ହଜାର ପୁରୁଷ ବିଜେପି କର୍ମୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି
ଭୁବନେଶ୍ୱର, ୨୩/୦୧/୨୦୨୫: ବିରୋଧୀ ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ରଖିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିଜୁ ଜନତା ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବର୍ତ୍ତମାନର ବାଚସ୍ପତି ପଦ ମର୍ଯ୍ୟାଦା ରଖୁ ନାହାନ୍ତି । ବାଚସ୍ପତି ପଦର ଗାରିମା ରହିଛି । ଏହି ପଦରେ ବସିଥିବା ବ୍ୟକ୍ତି କୌଣସି ଦଳର ପ୍ରତିନିଧିତ୍ୱ କରନ୍ତି ନାହିଁ । କିନ୍ତୁ ତାଙ୍କର ଏହି ମନ୍ତବ୍ୟ ବିଜେପି ଦଳର ମନ୍ତବ୍ୟ ପରି ମନେ ହେଉଛି । ତାଙ୍କ ମନ୍ତବ୍ୟରେ ସେ ବିରୋଧୀ ଦଳକୁ ଧମକ ଦେବା ପରି ମନେ ହେଉଛି । ତାଙ୍କ ଧମକ ବିରୋଧୀ ଦଳ ଉପରେ ପ୍ରଭାବ ପଡିବ ନାହିଁ ଓଲଟା ବିରୋଧୀ ଦଳର ସ୍ୱର ଅଧିକ ଶାଣିତ ହେବ । ସାମ୍ୱାଦିକ ମାନଙ୍କୁ ଅନୁରୋଧ, ସେ କେଉଁ ଦଳର ବୋଲି ବାଚସ୍ପତିଙ୍କୁ ପଚାରନ୍ତୁ । ବାଚସ୍ପତି ନିଜେ ସ୍ପଷ୍ଟ କରନ୍ତୁ ସେ କେଉଁ ଦଳର । ଆମେ ଦେଖିଥିଲୁ, ସେ ବିଜେପି ଅଫିସରେ ହେଉଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଁ ଦୀର୍ଘ ନଅ ମାସ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ଶଙ୍ଖଭବନ କି ନବୀନ ନିବାସ ଯାଇ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ ।
ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିକଟରେ ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବୋଲି ଦେଇଥିବା ମନ୍ତବ୍ୟ ଉପରେ ଶ୍ରୀମତୀ ମଲ୍ଲିକ କଡା ପ୍ରତିକ୍ରିୟା ଦେଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାରଙ୍କ ସିଷ୍ଟମ ଠିକ କାମ କରୁନାହିଁ । ଆଧାର କାର୍ଡକୁ ଲିଙ୍କ କରାଯାଇ ଆବେଦନ କରାଯାଉଥିବା ବେଳେ ଏଭଳି ତ୍ରୁଟି କିପରି ସମ୍ଭବ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଆମେ ଜାଣିବାରେ, ଅନୁ୍ୟନ୍ୟ ପାଞ୍ଚ ହଜାର ପୁରୁଷ ବିଜେପି କର୍ମୀ ସୁଭଦ୍ରା ଯୋଜନାରେ, ସରକାରଙ୍କ ଜାଣତରେ ଆବେଦନ କରିଛନ୍ତି । ତଦନ୍ତ ହେଲେ, ଏହା ଧରାପଡିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ ।