କମିଲା ୨୧୬ କୋଟି ବିଏମ୍‌ସି ବଜେଟ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଏମ୍‌ସି ଚିଠା ବଜେଟ୍‌ ପ୍ରସ୍ତୁତ କରିଛି। ବଜେଟ୍‌ରେ ବିଭିନ୍ନ ସୂତ୍ରରୁ ମୋଟ ଆୟ ୮୧୧.୬୫ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ୭୮୪.୯୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଚଳିତ ବର୍ଷ ୨୭ କୋଟି ଟଙ୍କାର ବଳକା ଚିଠା ବଜେଟ୍‌ ଉପସ୍ଥାପନ କରିଛନ୍ତି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାଜକିଶୋର ଦାସ।

ବଡ଼ କଥା ହେଲା, ପୂର୍ବ ବର୍ଷ ବିଏମ୍‌ସି ୧୦୨୭.୫୫ କୋଟିର ସର୍ବକାଳୀନ ରେକର୍ଡ ବଜେଟ୍‌ କରିଥିବା ବେଳେ ଚଳିତ ବର୍ଷ ଏହି ବଜେଟ୍‌ ୨୧୬ କୋଟି କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ଅପେକ୍ଷା ଚଳିତ ବର୍ଷ ଆୟ କମ୍‌ ରହିଥିବାରୁ ବ୍ୟୟ ମଧ୍ୟ ହ୍ରାସ କରାଯାଇଛି। ଗତ ଆର୍ଥିକ ବର୍ଷରେ ମୋଟ ଆୟ ଅଟକଳ ୧୦୨୭ କୋଟି କରାଯାଇଥିବା ବେଳେ ବ୍ୟୟ ୮୮୧ କୋଟି ଟଙ୍କା ହୋଇଥିଲା। ଫଳରେ ୧୪୬ କୋଟି ଟଙ୍କା ବଳକା ରହିଥିଲା। ଅର୍ଥାତ ଆସନ୍ତା ବର୍ଷ ପ୍ରାୟ ୧୭୩ କୋଟି ଟଙ୍କା ବଳକା ରହିବା ଆକଳନ କରାଯାଇଛି। ସରକାରୀ ଅନୁଦାନରୁ ସର୍ବାଧିକ ୨୪୭.୮୭ କୋଟି ଟଙ୍କା ମିଳିବାର ଆକଳନ କରାଯାଇଥିବା ବେଳେ ରାଜସ୍ୱ ଅନୁଦାନ ଓ ସବସିଡିରୁ ୨୦୧ କୋଟି ଟଙ୍କା ମିଳିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜମି ଓ ସ୍ଥାବର ସଂପତ୍ତି କ୍ରୟ ପାଇଁ ସର୍ବାଧିକ ୩୦୫ କୋଟି ଟଙ୍କା ଆକଳନ କରାଯାଇଛି। ରକ୍ଷଣାବେକ୍ଷଣ ଓ ପରିଚାଳନା ବାବଦରେ ୨୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଆୟ ବୃଦ୍ଧି ଉପରେ ଗୁରୁତ୍ବ
ଆଜି ଚିଠା ବଜେଟ୍‌ ଉପସ୍ଥାପନ ସମୟରେ ବିଏମ୍‌ସି ତାର ଆୟ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲା। ବିଏମ୍‌ସିର ସ୍ଥାୟୀ ଆୟ ପାଇଁ ଋଣ କରି ସହିଦନଗରଠାରେ ଏକ ଅଡିଟୋରିୟମ, ସହରର ବିଭିନ୍ନ ସ୍ଥାନରେ ୩ଟି ହାଟରେ ସ୍ଥାୟୀ ଘର ନିର୍ମାଣ କରି ସ୍ଥାନୀୟ ବ୍ୟବସାୟୀଙ୍କୁ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ବିଏମ୍‌ସିର ଆୟ ବୃଦ୍ଧି ହେବା ସହ ଆଦାୟ ଅର୍ଥ ଋଣ ସୁଝିବାରେ ସହାୟକ ହେବ ବୋଲି ବୋଲି ମେୟର କହିଛନ୍ତି। ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ କମିସନରଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ଚିଠା ବଜେଟ୍‌ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାଜକିଶୋର ଦାସ, ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, ସସ୍ମିତା ସାହୁଙ୍କ ସହ ସିଟି ଇଂଜିନିୟର ବିଳାସ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ, ଜୋନାଲ କମିସନର କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, କର୍ପୋରେଟର, ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ସ୍ୱଳ୍ପ ସମୟ ପାଇଁ ଗୃହ ଚାଲିଥିଲା। ତେବେ ଚିଠା ବଜେଟ୍‌କୁ ଭଲ ଭାବେ ତର୍ଜମା କରି ୧୫ ଦିନ ମଧ୍ୟରେ କର୍ପୋରେଟରମାନେ ମତାମତ ଦେବାକୁ ମେୟର ନିବେଦନ କରିଥିଲେ। ଆସନ୍ତା ଫେବୃଆରି ମାସରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଅଧିବେସନ ବସିବା ସମୟ‌ରେ ବଜେଟ୍‌‌ ଉପସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *