ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ୨୮ରୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ରେ ଯୋଗଦେବେ। ଭୁବନେଶ୍ବରରେ ମୋଦୀ ୨ ଘଣ୍ଟା ୨୦ମିନିଟ୍ ରହିବେ।
ଚଳିତ ମାସରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଶିଳ୍ପ ମହାକୁମ୍ଭର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଛନ୍ତି। ଏଥିରୁ ଜଣାଯାଇଛି ଯେ ଜାନୁଆରି ୨୭ ତାରିଖରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଏହାର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଜାନୁଆରି ୨୮ ଓ ୨୯ ଦୁଇ ଦିନ ଧରି ୪ଟି ପ୍ଲେନାରି ସେସନ୍, ବିଭିନ୍ନ କ୍ଷେତ୍ର ଉପରେ ୧୬ଟି ଓ ୪ଟି ରାଉଣ୍ଡ ଟେବୁଲ୍ କନ୍ଫରେନ୍ସ ଅନୁଷ୍ଠିତ ହେବ। ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ।
୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍ବୋଧନ ଦେବେ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ଼ବଡ଼ ଶିଳ୍ପସଂସ୍ଥାର ସିଇଓମାନଙ୍କ ରାଉଣ୍ଡ୍ଟେବୁଲ, ଓଡ଼ିଆ ଉଦ୍ୟୋଗୀମାନଙ୍କ ସ୍ୱତନ୍ତ୍ର ଅଧିବେଶନ ଏବଂ ମହିଳା ବିଜନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡ଼ିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ହେବ। ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସମସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ପାଖରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଦୀର୍ଘ ସମୟ ପାଇଁ ଓଡ଼ିଶା ପୁଞ୍ଜିନିବେଶକମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
