କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ୍ ଗତ ୨୦୦୩ ମସିହାରୁ ଲାଞ୍ଜିଗଡ଼ ଠାରେ ରିଫାଇନେରୀ ସ୍ଥାପନ ସହିତ ୨୦୦୭ରୁ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ସତ କିନ୍ତୁ ପ୍ରାୟ ୨୨ ବର୍ଷ ପୁରିବାକୁ ବସିଥିବାବେଳେ କମ୍ପାନୀକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଖଣି ଓ କଞ୍ଚାମାଲ ମିଳିନାହିଁ। ଯାହା ଫଳରେ କମ୍ପାନୀ ବାହାରୁ କଞ୍ଚାମାଲ ଆଣି ଲାଞ୍ଜିଗଡ଼ରେ ରିଫାଇନେରୀ ଚଳାଇଥିବାବେଳେ ଇତିମଧ୍ୟରେ ପ୍ରକଳ୍ପର ସଂପ୍ରସାରଣ ମଧ୍ୟ କରିସାରିଛି।ତେବେ ବାହାରୁ କଞ୍ଚାମାଲ ଆଣି କମ୍ପାନୀ ଚଳାଇବା ଦିନକୁ ଦିନ ମୁସ୍କିଲ ହୋଇ ପଡ଼ୁଥିବାବେଳେ ଏବେ କଂପାନୀ ହାତ ଟେକିଦେବାକୁ ବସିଛି। ଏପରିକି କଞ୍ଚାମାଲ ଅଭାବ ଓ ଉତ୍ପାଦନ ଅପେକ୍ଷା ବ୍ୟୟଭାର ବୃଦ୍ଧି ପାଇଥିବାବେଳେ ଏଥିଯୋଗୁଁ କଂପାନୀ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। ବର୍ତମାନ କମ୍ପାନୀ ଚାଲିବା ମୁସ୍କିଲ ହୋଇପଡିଛି। ଏହାଦ୍ୱାରା କମ୍ପାନୀ ଉପରେ ନିର୍ଭର କରି ବଞ୍ଚୁଥିବା ଛୋଟମୋଟ ଦୋକାନୀ, ବ୍ୟବସାୟୀ, କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ଅନେକଙ୍କ ଘରେ ‘ଦି’ଓଳି ଚୁଲି ଜଳିବା କାଠିକର ପାଠ ହୋଇଯିବ।

ଏଇ ପରିପ୍ରେକ୍ଷୀରେ କମ୍ପାନୀ ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ଼ ପାରିପାର୍ଷିକ ଅଞ୍ଚଳ ତଥା ଅଞ୍ଚଳର ହଜାର ହଜାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ନିଜର ଜୀବନ ଜୀବିକା ବିପନ୍ନ ହେବା ଆଶଙ୍କାରେ ଆଜି ରାଜରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଲାଞ୍ଜିଗଡ଼ ବଜାର ପଡ଼ିଆରୁ ଶତାଧିକ ଲୋକେ ସମବେତ ହେବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟସରକାରଙ୍କୁ ପ୍ରତିବାଦ କରିଛନ୍ତି। କମ୍ପାନୀକୁ ଖଣି କିମ୍ବା କଞ୍ଚାମାଲ ଯୋଗାଇଦେଲେ କମ୍ପାନୀ ପୂର୍ବବତ୍ କାର୍ଯ୍ୟକ୍ଷମ ରହିବ ଏବଂ କମ୍ପାନୀ ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ଉପକୃତ ହେବେ ବୋଲି ସେମାନେ ଦର୍ଶାଇଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ, ଅବିଭକ୍ତ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ,ପୂର୍ବତନ ବିଧାୟକ ଶିବାଜୀ ମାଝୀ,ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ,ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା,ଚନ୍ଦ୍ରଶେଖର ବେହେରା,ରାଜେନ୍ଦ୍ର ପ୍ରତାପ ସିଂହଦେଓ,ବିନୋଦ ଗଉଡ଼,ଶ୍ରୀବତ୍ସ ତାଣ୍ଡି,ଶ୍ରୀମୁଖ ଅଗସ୍ତି,ଲିଙ୍ଗରାଜ ମାଝୀ,ହିମାଦ୍ରୀ ପେସନିଆ,ପ୍ରଦୀପ ଘଡ଼େଇ,ପାତ୍ର ମାଝୀ,ଡିଲେଶ କୁମାର ନାଗ, ମନୋହର ହରପାଲ,ରଂଜିତ ପାଢ଼ୀଙ୍କ ସମେତ ଅଞ୍ଚଳର ହଜାର ହଜାର ଲୋକ ପ୍ରମୁଖ ସାମିଲ ଥିଲେ। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ Photo news Times
