କଳା ପାହାଡ଼ର ମୃତ୍ୟୁ ଜମ୍ବୁଦ୍ବୀପରେ ହୋଇଥିଲା ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଛନ୍ତି।

ଜମ୍ବୁଦ୍ବୀପ ମହୋତ୍ସବ ଉଦଘାଟିତ।
କଳା ପାହାଡ଼ର ମୃତ୍ୟୁ ଜମ୍ବୁଦ୍ବୀପରେ ହୋଇଥିଲା ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଛନ୍ତି।

ପୂର୍ବ ଭାରତର ପ୍ରଥମ ବତିଘର ଏହି ଜମ୍ବୁ ଦ୍ବୀପରେ ରହିଛି। ଏହି ଦ୍ବୀପରେ ଥିବା ଲାଲ କୋଠାର ଇଞ୍ଜିନିଅରରିଂ ସମଗ୍ର ଭାରତରେ ବିରଳ। ପଦ୍ମଶ୍ରୀ ହଳଧଳ ନାଗ ମଧ୍ୟ ସମଲେଇଙ୍କ ଠାରୁ ଆରମ୍ଭ କରି ମା ରାମଚଣ୍ଡୀଙ୍କ ପର୍ଯ୍ୟନ୍ତ ମାହାତ୍ମ୍ୟ ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି। ଏହା ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମତବ୍ୟକ୍ତ କରିଛନ୍ତି। ମହାକାଳପଡ଼ା ବ୍ଲକ ଅଧୀନ ମା ଦରିଆ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଜମ୍ବୁଦ୍ବୀପ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ମନ୍ତ୍ରୀ ଆହୁରି ମଧ୍ୟ କହିଲେ ପଲ୍ଲିଶ୍ରୀ ମେଳା ଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ।
କଳା ପାହାଡ଼ ଏହିଠାରେ ପ୍ରାଣ ତ୍ୟାଗ କରିଥିଲେ। ମନ୍ଦିର ଭାଙ୍ଗିବା ପୂର୍ବରୁ ଜଣେ ମହିଳା ତାଙ୍କୁ ପାଣି ଦେବା ପାଇଁ କହି ଚାଲିଗଲେ। କିନ୍ତୁ ଫେରି ନଥିଲେ। ଅପେକ୍ଷା କରି କଳାପାହାଡର ଜୀବନ ଦ୍ବୀପ ଲିଭି ଯାଇଥିଲା ବୋଲି ମନ୍ତ୍ରୀ କିମ୍ବଦନ୍ତୀକୁ ଆଧାର କରି କହିଥିଲେ। ଏହି ଅଞ୍ଚଳର ସ୍ୱତନ୍ତ୍ରତା ରହିଛି। ଏହି ଅଞ୍ଚଳର ଯେତିକି ବିକାଶ ହେବା କଥା ତାହା ହୋଇନାହିଁ। ଜିଲାବାସୀଙ୍କ ସମସ୍ତ ଅଧିକାର ପୂରଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସେ ଘୋଷଣା କରିଥିଲେ। ମେଡିକାଲ କଲେଜ ନିଶ୍ଚିତ ଭାବେ ହେବ। କିନ୍ତୁ ୨୪ ବର୍ଷ ଧରି ଶାସନରେ ଲୋକ ମେଡିକାଲ କଲେଜ କରିପାରିଲେ ନାହିଁ ତାହାଠାରୁ ଆଉ କିଛି ଦୁଃଖର ବିଷୟ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

ମହାକାଳପଡ଼ା ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ କହିଲେ ପ୍ରଥମ ଥର ପାଇଁ ଜମ୍ବୁଦ୍ବୀପ ମହୋତ୍ସବ ଅନୁଷ୍ଠିତ ହେଉଛି। କିନ୍ତୁ ଏହା ପିଢ଼ି ପିଢ଼ି ଧରି ମନେ ରହିବ। କେନ୍ଦ୍ରାପଡ଼ାର ସାମଗ୍ରିକ ବିକାଶ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାସହ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ଅଞ୍ଚଳର ଲୁକ୍କାୟିତ ପ୍ରତିଭାର ବିକାଶ ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ବିଧାୟକ ଡ଼. ନାୟକ କହିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଲେ ଜମ୍ବୁଦ୍ବୀପ ହେଉଛି ଓଡ଼ିଆ- ବେଙ୍ଗଲୀ ଭାଇଚାରାର ମାଟି। ପାନୀୟ ଜଳ ସମସ୍ୟା ଏହି ଅଞ୍ଚଳରେ ରହିବ ନାହିଁ। ଏ ନେଇ ସରକାର ଚିନ୍ତା କରୁଛନ୍ତି। ପିଲାଙ୍କୁ ବାପା ମା ମାନେ ସଂସ୍କାର ପ୍ରଦାନ କରିବା ଉଚିତ। ଏହା ନଦେଲେ ବୃଦ୍ଧାବସ୍ଥା ଆଶ୍ରମରେ କଟାଇବାକୁ ପଡ଼ିବ।

ହାସ୍ୟାଭିନେତା ହରିହର ମହାପାତ୍ର ଯୋଗଦେଇ କହିଲେ ଫିଲ୍ମ ସୁଟିଂ କରିବାରେ ଜମ୍ବୁଦ୍ବୀପ ଏକ ପ୍ରକୃଷ୍ଠ ସ୍ଥାନ। ପ୍ରକୃତିର ମନୋରମ ପରିବେଶ ଏହି ଦ୍ବୀପରେ ରହିଛି। ତେଣୁ ଏହିଦ୍ବୀପ ଦେଶ ବିଦେଶର ଚଳଚିତ୍ର ନିର୍ମାତାଙ୍କୁ ଆକୃଷ୍ଠ କରିଛି।

ସାହିତ୍ୟିକ ଡ଼.ବିରଜା ରାଉତରାୟ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅନ୍ତର୍ଜାତୀୟ ଭଲି ବଲ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା, ଆଶା କର୍ମୀ ଶିବାନୀ ମଣ୍ଡଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥି ପରିଚୟ ପ୍ରଦାନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର।


ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଶଶାଙ୍କ ସେଠୀ, ହାସ୍ୟାଭିନେତା ହରିହର ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପ ଜିଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପାୟଲ ମ୍ୟୁଜିକ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଜମ୍ବୁଦ୍ବୀପ ମହୋତ୍ସବ ଉପରେ ଏକ ସଂଗୀତ ପରିବେଷଣ କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାକୁ ମନ୍ତ୍ରୀ ଉଦଘାଟନ କରିଥିଲେ।

କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମ୍ସ ରିପୋର୍ଟ

Leave a Reply

Your email address will not be published. Required fields are marked *