କଳାକୂପା ମୂଷାନାଲ ରାସ୍ତା ନିର୍ମାଣରେ ଅନିୟମିତତା

ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate”। ସହର ମାନଙ୍କରେ ରାସ୍ତା ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଠିକ ଚାଲିଛି। କିନ୍ତୁ କଳାହାଣ୍ଡି ଜିଲ୍ଲା ଭଳି ପଛୁଆ ଜିଲ୍ଲାରେ ରାସ୍ତାର ହାଲ ବେହାଲ।
କଳାକୂପା-ମୂଷାନାଲ ରାସ୍ତା ନିର୍ମାଣରେ ଅନିୟମିତତା। ହରିଲୁଟ ନିର୍ମାଣର ଦୁଇ ମାସ ମଧ୍ୟରେ ରାସ୍ତାର ଦୁଇ ପାର୍ଶ୍ବରୁ ମାଟି ଖସିବା ସହିତ ପିଚୁ ଉଠିଲା।
କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କଳାକୁପା ଠାରୁ ମୂଷାନାଳ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ସଡ଼କ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗତ ୨ ମାସ ହେଲା ରାସ୍ତାର ପିଚୁ କାମ କରାଯାଇଥିଲା | ତେବେ ଦୁଇ ମାସ ମଧ୍ୟରେ ଉକ୍ତ ରାସ୍ତାରୁ ଅଧିକାଂଶ ସ୍ଥାନରୁ ରାସ୍ତା ଦୁଇ ପାର୍ଶ୍ବରୁ ମାଟି ଖସୁଥିବା ବେଳେ ରାସ୍ତାରୁ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି।ଫଳରେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ଆଜିକୁ ୨୫ ବର୍ଷ ହେଲା ଲାଞ୍ଜିଗଡ ବ୍ଲକ କଳାକୁପା-ମୂଷାନାଳ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ୧୭ କିମି ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଜରାଜୀର୍ଣ୍ଣ ହୋଇ ପଡି ରହି ଖାଲଖମାରେ ଭର୍ତ୍ତି ହୋଇ ଲୋକଙ୍କ ପାଇଁ ମରଣଜନ୍ତା ପାଲଟି ଥିଲା।ଏହାକୁ ନେଇ ଜିଲ୍ଲାପାଳ ଓ ରାଜନେତା ନିକଟରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜିକୁ ଦେଢ଼ ବର୍ଷ ହେଲା ଏହି ରାସ୍ତା ନିର୍ମାଣ କାମଟି ଆରମ୍ଭ ହୋଇଥିଲା।ଏହି କାମକୁ ଆନ୍ଦ୍ରପ୍ରଦେଶର ଜଣେ ଠିକାଦାର ଦାଇତ୍ଵ ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କଳାକୁପା ଠାରୁ ମୂଷାନାଳ ପର୍ଯ୍ୟନ୍ତ ରାସ୍ତାର ପୁରୁଣା ପିଚୁ ହଟାଇବା ସହିତ କିଛି ସ୍ଥାନରେ ରାସ୍ତାରେ ଦୁଇ ପାର୍ଶ୍ବରେ ଗାଡ଼ୱାଲ କାମ କରିଛି।କିନ୍ତୁ ଠିକାଦାର ମନମୁଖୀ କାର୍ଯ୍ୟ କରି ବିଭାଗୀୟ ଗାଇଡ୍‌ଲାଇନ କିଛି ନ ମାନି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ନିଜ ଇଚ୍ଛା ମୁତାବକ ନିମ୍ନମାନର କାମ କରିଥିଲେ।ନିର୍ମାଣ ଆରମ୍ଭରୁ ବ୍ୟୟ ଅଟକଳ ଦର୍ଶାଇ ସୂଚନା ଫଳକ ଲଗାଇବା କଥା, ପୋଲ ନିର୍ମାଣ ସ୍ଥାନରେ ବ୍ୟାରିକେଡ଼ ଦେବା କଥା, କାର୍ଯ୍ୟରେ ସୁରକ୍ଷା ନିୟମ ନ ମାନିବା, ଭାଇବ୍ରେଟର ନ ମାରିବା, ସିମେଣ୍ଟର ପରିମାଣ କମ୍‌ କରିବା ନେଇ ଅଞ୍ଚଳବାସୀ ଅଭିଯୋଗ ପରେ କିଛି ଦିନ କାମ ବନ୍ଦ କରିବା ଲୋକଙ୍କ ସହିତ ଆଲୋଚନା ପରେ ପୁଣି ଆରମ୍ଭ କରିଥିଲେ।ଗତ ଦୁଇ ମାସ ହେଲା ଏହି ରାସ୍ତାଟି ପ୍ରଥମ ପର୍ଯ୍ୟାୟରେ ବିଜେପୁର ପଞ୍ଚାୟତ ସିନ୍ଧଭଟା ଗାଁଠାରୁ ଧଡେଲ ଜଙ୍ଗଲ ପର୍ଯ୍ୟନ୍ତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବେନଗାଁ ପଞ୍ଚାୟତ ଲଡାଙ୍ଗ ଗାଁ ଠାରୁ ମୂଷାନାଳ ପର୍ଯ୍ୟନ୍ତ ୧୦ କିମି ପର୍ଯ୍ୟନ୍ତ ପିଚୁ କାମ କରାଯାଇଥିଲା।କିନ୍ତୁ ଅତି ନିମ୍ନ ମାନର କାମ ଯୋଗୁଁ ଦୁଇ ମାସ ମଧ୍ୟରେ ରାସ୍ତାର ଧଡେଲ ବ୍ରିଜ ନିକଟରେ ପିଚୁ ଉଠିଯିବା ବେଳେ କେନ୍ଧୁଗୁଡା ଗାଁ ନିକଟରେ ରାସ୍ତାଟି ଫାଟି ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାର ସ୍ଥାୟିତ୍ଵକୁ ନେଇ ପ୍ରଶ୍ନ ଉଠିଛି।ଅନ୍ୟପକ୍ଷରେ, ଉକ୍ତ ରାସ୍ତା କାମରେ ବିଭାଗୀୟ ଅଧିକାରୀଙ୍କ ସଠିକ ତଦାରଖ ନହେବାରୁ ଠିକାଦାର ମନଇଚ୍ଛା ଅତି ନିମ୍ନ ମାନର କାମ କରିଥିବାରୁ ଏପରି ହୋଇଥିବା ସ୍ଥାନୀୟ ଲୋକଙ୍କଠୁ ଜଣାପଡିଛି |

ଏପରିକି ଜଣେ ଠିକାଦାର ଏଠାରେ ଦିନରାତି ତରବରିଆ ଭାବେ ରାସ୍ତାର ନିର୍ମାଣ କାମ କରୁଥିବାରୁ ରାସ୍ତାର ଅବସ୍ଥା ଏଭଳି ହେଉଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟିଛି|ବର୍ତ୍ତମାନ ଏହି ରାସ୍ତାର ଅଦ୍ଧାଧିକ ସ୍ଥାନରେ ପିଚୁ କାମ ହେବାକୁ ଥିବା ବେଳେ ଆରମ୍ଭରୁ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି।ଯାହାର ଫାଇଦା ଉଠାଇ ଅଞ୍ଚଳର ବିକାଶ ପାଇଁ ଉଦ୍ଧିଷ୍ଟ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଆସୁଥିବା ବେଳେ ନିମ୍ନ ମାନର କାମ କରି ଅନୁଦାନକୁ ଚଳୁ କରୁଛନ୍ତି। ସରକାରୀ ବାବୁ ଓ ଠିକାଦାର ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି|ଏଣୁ ଏହି ରାସ୍ତାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।ଏନେଇ ଲାଞ୍ଜିଗଡ ବ୍ଳକ ପୂର୍ତ୍ତ ବିଭାଗ ଦାଇତ୍ଵରେ ଥିବା ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କୁ ପଚାରିବାରୁ ଧଡେଲ ବ୍ରିଜ ନିକଟରେ ରାସ୍ତାରେ ପିଚୁ ରହୁନାହିଁ,ସେଠାରେ କଂକ୍ରିଟ କରାଯିବ।କେନ୍ଧୁଗୁଡା ଗାଁ ନିକଟରୁ ରାସ୍ତା ଫାଟି ପିଚୁ ବାହାରିବା ମୁଁ ଜାଣିନାହିଁ। ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *