କେନ୍ଦ୍ରର ବିଜେପି ସରକାର ଘୋଷଣା କରିଥିବା ଜାତି ଭିତ୍ତିକ ଜନଗଣନାକୁ ବିଜେଡିର ଏହା ପୂର୍ବରୁ ଦାବି ରହିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତା ଅରୁଣ କୁମାର ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ସଞ୍ଜୟ ଦାସ ବର୍ମା ଦାବି ରଖିଛନ୍ତି। ଏହା ବୁଦ୍ଧିଜିବୀ ମହଲରେ ଏକ ଭିନ୍ନ ପ୍ରତିଧ୍ଵନି ସୃଷ୍ଟି କରୁଛି। ସେ ଯାହାବି ହେଉ ଜାତି ଭିଭିକ ଜନଗଣନା ପାଇଁ ବିଜୁ ଜନତା ଦଳ ଦାବୀ କରି ଆସୁଥିଲା ବେଳେ, କେନ୍ଦ୍ର ସରକାରଙ୍କ ଜାତି ଭିତ୍ତିକ ଜନ ଗଣନା ପାଇଁ ଗତ କାଲି କରିଥିବା ଘୋଷଣାକୁ ସ୍ଵାଗତ କରିଛନ୍ତି। ଏହା ବିଜେଡିର ଦୀର୍ଘ ଦିନର ଦାବିକୁ ସୀକୃତି ବୋଲି କହିଲେ ଅତ୍ୟକ୍ତି ହେବ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି । ସଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଧାୟକ ଡଃ ଅରୁଣ କୁମାର ସାହୁ, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜାତି ଭିତ୍ତିକ ଜନ ଗଣନାକୁ ସ୍ଵାଗତ କରିବା ସହିତ ଦେଶରେ ସଂଖ୍ୟା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି ରଖିଛନ୍ତି।
ଡ଼ ଅରୁଣ କୁମାର ସାହୁ କହିଛନ୍ତି
ବିଜୁ ଜନତା ଦଳର ସଦସ୍ୟ ମାନେ, ସଂସଦର ଉଭୟ ଗୃହରେ ଏଥିପାଇଁ ଦାବୀ କରିବା ସହିତ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦାବୀ କରିଥିଲେ ।
ଡଃ ସାହୁ କହିଲେ, ଜାତି ଭିଭିକ ଜନ ଗଣନା କରିବା ସମୟରେ, ଜଣେ ବ୍ୟକ୍ତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ କିପରି ବିକାଶ ହୋଇଛି ତାହା ମଧ୍ୟ ଜାଣିବା ଦରକାର । ଦେଶର ସମସ୍ତ ବର୍ଗର ଲୋକଙ୍କ ବିକାଶକୁ ନିଶ୍ଚିତ କରିବା ପାଇଁ ଏହାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଜାତି ପ୍ରଥାରେ ସଂରକ୍ଷଣ ବ୍ୟବସ୍ଥା ରହିବାରୁ, ଏହା ନିଶ୍ଚିତ ହେଲେ ସଂରକ୍ଷଣ ବ୍ୟବସ୍ଥାରେ ସୁଧାର ଆସି ପାରିବ । ଆମ ରାଜ୍ୟରେ, ପ୍ରାୟ ଏସ.ସି. ଓ ଏସ.ଟି. ବର୍ଗର ଲୋକଙ୍କ ସଂଖ୍ୟା ୩୮.୨୫ ପ୍ରତିଶତ ହୋଇଥିବା ବେଳେ ଓ.ବି.ସି.ଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ ରହିଛି । ରାଜ୍ୟରେ, ଓ.ବି.ସି. ବର୍ଗର ଲୋକଙ୍କ ପାଇଁ କେବଳ ଚାକିରୀରେ ୧୧.୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ, ଶିକ୍ଷା ଗ୍ରହଣ କରିବା ସମୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ । ଯେଉଁ ବର୍ଗର ଲୋକଙ୍କ ସଂଖ୍ୟା ଯେତେ, ସେମାନଙ୍କୁ ସେତିକି ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ଆମେ ଦାବୀ ରଖୁଛୁ। ଏଥିପାଇଁ, ସର୍ବଧିକ ୫୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବା ପାଇଁ ଥିବା ନିୟମରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହେବ ବୋଲି ଡଃ ସାହୁ କହିଥିଲେ । ଏହାଛଡା, ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଓ.ବି.ସି. ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ ଗୁଡିକରେ, ଚାକିରୀ କ୍ଷେତ୍ରରେ ମିଳୁଥିବା ୧୧.୨ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ପାଇଁ ଆମେ ଦାବି କରୁଛୁ। ଉଲ୍ଲେଖଯୋଗ୍ୟ, ଓ.ବି.ସି. ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ପ୍ରକ୍ରିୟା ଦେଶରେ ପ୍ରଥମେ ଜନତା ପାର୍ଟି ସରକାରଙ୍କ ସମୟରେ “ମଣ୍ଡଳ କମିସନ” ଗଠନ ମାଧ୍ୟମରେ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜନତା ଦଳ ସରକାର ଏହାକୁ ଲାଗୁ କରିଥିଲେ ।
ପ୍ରକାଶ ଥାଉକି, ଅରୁଣ କୁମାର ସାହୁ ଜଣେ ଓବିସି ବର୍ଗର ନେତା। କିନ୍ତୁ ରାଜନୀତିରେ ଓବିସି ବର୍ଗ ପାଇଁ ନିର୍ବାଚନ ମଣ୍ଡଳୀ ସଂରକ୍ଷଣ ପାଇଁ ସେ ଦାବି କରିନାହାନ୍ତି।
ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ସମସ୍ତ ବର୍ଗକୁ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ, ୨୦୧୦ ମସିହାରେ ବିଜୁ ଜନତା ଦଳର ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ, ସାଂସଦରେ ଦଳ ତରଫରୁ ଜାତି ଭିତ୍ତିକ ଜନ ଗଣନା ପାଇଁ ଦୃଢ଼ ଦାବୀ ରଖାଯାଇଥିଲା ।
ସେତେବେଳେ କିନ୍ତୁ, କେନ୍ଦ୍ରର ବିଜେପି ସରକାର ଏହାକୁ ପ୍ରତ୍ୟାଖାନ କରି ଆସୁଥିଲେ । ପରବର୍ତ୍ତୀ ସମୟରେ, ଏହା ସହ ବିରୋଧ ଅଧିକ ଶାଣିତ ହେବା ପରେ କେନ୍ଦ୍ର ସରକାର ଏହି ଦାବିକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, କେନ୍ଦ୍ର ସରକାର ଜାତି ଭିତ୍ତିକ ଜନ ଗଣନା ପାଇଁ କ୍ୟାବିନେଟରେ ପାସ କରିଛନ୍ତି କିନ୍ତୁ ଏହା ଏକ ନିର୍ବାଚନୀ ଷ୍ଟାଣ୍ଡ ନହେଉ । ସମସ୍ତେ ଜାଣନ୍ତି, କେନ୍ଦ୍ର ସରକାର ଜାତି ଭିଭିକ ଜନ ଗଣନାକୁ ବିରୋଧ କରି ଆସୁଥିଲେ । ଏବେ ଏହା ଘୋଷଣା ହେବା ପରେ ଏହା ସମସ୍ତ ବର୍ଗର ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନରେ ସହାୟକ ହେବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଭୁବନେଶ୍ବରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ରିପୋର୍ଟ୍।
କେନ୍ଦ୍ରର ବିଜେପି ସରକାର ଘୋଷଣା କରିଥିବା ଜାତି ଭିତ୍ତିକ ଜନଗଣନାକୁ ବିଜେଡିର ଏହା ପୂର୍ବରୁ ଦାବି ରହିଥିଲା
