ଖଡ଼ଙ୍ଗ ନଦୀ ତଟରେ ମହୋତ୍ସବ

 

ସପ୍ତମ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା କଳିର କରାଳ ମଧ୍ୟରେ ସଂସ୍କୃତିକୁ ଜୀବନ୍ତ କରାଏ ମଞ୍ଚ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଆୟୋଜିତ ସପ୍ତମ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆଞ୍ଚଳିକ କଳାକାର ଏବଂ କଣ୍ଟାମାଳ ସାଂସ୍କୃତିକ କଳା ପରିଷଦ ସଙ୍ଘର କଳାକାର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ପରେ ବରଗଡ଼ ଜିଲ୍ଲା ଚିଚିଣ୍ଡାର କଳାକାର ମାନଙ୍କ ଦ୍ୱାରା ରାବଣ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ରାବଣ ଦରବାରରେ ଜୋନ-୧ ଜିଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ରାଜକୀୟ ମୁଖ୍ୟ ଅତିଥି, ସିନେ ନିର୍ଦ୍ଦେଶକ ଜଳନ୍ଧର ବେହେରା, ଶିକ୍ଷାବିତ ନୀଳାଚଳ ଭୋଇ, ସୁଶାନ୍ତ ମାଝୀ, ସମାଜସେବୀ ଅଭିରାମ ରଣା, ସାମ୍ବାଦିକ ମୁକେଶ ପାଢ଼ି, ଶିକେରପାଟ ମହୋତ୍ସବ କମିଟି ସଭାପତି ରୋହିତ ମାଝୀ, ଖୁଣ୍ଟିଗୋରା ଗୌନ୍ତିଆ ନରେନ୍ଦ୍ର ସାହୁ, ବ୍ୟବସାୟୀ ଦେବାନନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ l କଳିର କରାଳ ମଧ୍ୟରେ ସଂସ୍କୃତିକୁ ଜୀବନ୍ତ କରାଏ ମଞ୍ଚ ବୋଲି କହିବା ସହିତ କିମ୍ବଦନ୍ତୀ ସମ୍ପନ୍ନ ଖଡ଼ଙ୍ଗ ନଦୀର ସୁରକ୍ଷା ପାଇଁ ମତବ୍ୟକ୍ତ କରିଥିଲେ l ସୁଶାନ୍ତ ବାରିକ ଅତିଥି ପରିଚୟ କରିଥିଲେ l

ଖଡ଼ଙ୍ଗ ମହୋତ୍ସବ କମିଟି ସଭାପତି ମନୋଜ ଦାଶ ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l ଦରବାରରେ ଅତିଥି କଳାକାର ଭାବେ ଓଡିଆ ଟେଲି ଅଭିନେତ୍ରୀ ତପସ୍ୱିନୀ ଯୋଗଦେଇ ସଂଳାପ ଏବଂ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ନିର୍ଦ୍ଦେଶକ ଶ୍ରୀ ବେହେରା ସଂଳାପ ଓ ଗୀତ ପରିବେଷଣ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲେ l ପରେ ହସେ ଦଶାନନ, କାନ୍ଦେ ବିଭୀଷଣ ନାଟକରେ ବିଭୀଷଣ ବିତାଡିତ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା l

ରାବଣ ଭୂମିକାରେ ପଶ୍ଚିମ ଓଡିଶାର ପ୍ରଖ୍ୟାତ ମଞ୍ଚ କଳାକାର ସୁଶୀଲ କୁମାର ମେହେରଙ୍କ ନିଖୁଣ ଅଭିନୟକୁ ଦର୍ଶକ ଭୁୟସୀ ପ୍ରଶଂସା କରିଥିଲେ l ମଧ୍ୟରାତ୍ର ପର୍ଯ୍ୟନ୍ତ ଦର୍ଶକ ମୀନାବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଇଥିଲେ l ଖଡ଼ଙ୍ଗ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଘଣ୍ଟାପଡା ଥାନାର ସୁରକ୍ଷା ବାହିନୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ତୁଲାଇ ଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମସ।

Leave a Reply

Your email address will not be published. Required fields are marked *