ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ।
ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ସର୍ବଦା ଦରିଦ୍ର ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା । ସେ ସଂଭ୍ରାନ୍ତ ଓ ଜମିଦାର ପରିବାରର ବ୍ୟକ୍ତିଥିଲେ ମଧ୍ୟ ସମାଜର ଦଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ପାଇଁ ସାରା ଜୀବନ ସଂଗ୍ରାମ ଜାରି ରଖିଥିଲେ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅସହଯୋଗ ଆନ୍ଦୋଳନରେ ସେ ଯୋଗଦେଇଥିଲେ । ସେତେବେଳେ ଓଡ଼ିଶାର ଛାତ୍ର ଓ ଯୁବକମାନଙ୍କ ଭିତରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଥିଲା ।

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ, ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ଦୀନହୀନ ଅବସ୍ଥାରେ କାଳାତିପାତ କରୁଥିବା ଚାଷୀମୂଲିଆଙ୍କ ସେବା କରି ନିଜକୁ ଧନ୍ୟ ମନେ କରୁଥିଲେ । କ୍ଷମତା ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିତ୍ୱଙ୍କୁ କରାୟତ କରିପାରିନଥିଲା ଓ ଦୁର୍ନୀତି ତାଙ୍କୁ ସ୍ପର୍ଶ କରିପାରି ନଥିଲା ।

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ଉତ୍କଳ ସମ୍ମିଳନୀ ଓ ପୂଜ୍ୟପୂଜା ସଂସଦର ବରିଷ୍ଠ ସଦସ୍ୟ ଓ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ବିଧାନସଭା ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ପ୍ରମୁଖ ବିଧାନସଭା ପରିସରରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ସୂଚନା ଅଧିକାରୀ ଅବିନାଶ ପାଣି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ ପୂର୍ବକ ତାଙ୍କୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ନିଃସ୍ୱାର୍ଥପର ଜନସେବକ, ବିଶିଷ୍ଟ ରାଜନୀତିଜ୍ଞ ବୋଲି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର, ଭୁବନେଶ୍ୱର ତରଫରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରା ଯାଇଥିଲା ।

ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ଭୁବନେଶ୍ୱରରୁ ସରୋଜ କୁମାର ଶତପଥୀ ଏବଂ ବିଭୁତି ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
