ବାଘ ହେଉଛି ପଶୁମାନଙ୍କ ମଧ୍ୟରେ ରାଜା ,ମୟୁର ହେଉଛି ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ , ସେହିଭଳି ଫୁଲମାନଙ୍କ ମଧ୍ୟରେ ପଦ୍ମ ଫୁଲ ଏବଂ ଫଳମାନଙ୍କ ମଧ୍ୟରେ ଆମ୍ବ। ଆମ୍ବକୁ ନେଇ ବହୁ ଜନଜାତିର ଲୋକମାନେ ଭଲ ଟଙ୍କା ରୋଜଗାର କରିଥାନ୍ତି। ସେମାନଙ୍କୁ ସରକାର ମଧ୍ୟ ସହାୟତା ଯୋଗାଏ। ଏଥିପାଇଁ ଓରମାସ ଜାତି ଓ ଜନଜାତି ବହୁଳ ରାୟଗଡାରେ ଆମ୍ବ ମେଳା ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ଏବଂ ଓରମସ ପକ୍ଷରୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡରେ ଆମ୍ବମେଳା ଆରମ୍ଭ ହୋଇଥିଲା।
ଜିଲ୍ଲାପାଳ ପାରୁଲ ପଟୁଆରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସବୁଜ ପତାକା ଦେଖାଇ ଅଭିଯାନ ରଥର ଶୁଭାରମ୍ଭ କରାଯାଇଅଛି। ଏହି ମେଳା କାର୍ଯ୍ୟକ୍ରମ ୨ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଅଛି। ଜିଲ୍ଲାର ଆଖପାଖ ସହର ଏବଂ ଗ୍ରାମର ଚାଷୀମାନେ ମେଳାରେ ବିକ୍ରୟ ପାଇଁ ସୁବର୍ଣ୍ଣରେଖା, ମଲ୍ଲିକା, ବାଙ୍ଗୀନାପାଲି, କଲେକ୍ଟର , ଦଶା ହାରି ଓ ଆମ୍ରପାଲି ଆଦି ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ କରିଛନ୍ତି।
ପ୍ରତି କିଲୋଗ୍ରାମର ମୂଲ୍ୟ ୫୦ ଟଙ୍କାରୁ ୭୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।
ଏହି ମେଳାଦ୍ଵାରା ଚାଷୀ ଏବଂ ଗ୍ରାହକ ଉପକୃତ ହେବେ। ଏହି ମେଳାର ଆୟୋଜନକୁ ସାଧାରଣରେ ପ୍ରଶଂସା କରାଯିବା ସହିତ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଅଛି। ଆୟୋଜକ ଶ୍ରୀ ଲକ୍ଷ୍ମଣ କହିଛନ୍ତି ଯେ ଆମେ ଏହା ଦ୍ଵାରା ଚାଷୀ ମାନଙ୍କର ଆମ୍ବ ଯେଭଳି ଉତ୍ତମ ମୂଲ୍ୟରେ ବିକ୍ରି ହେବ ସେଥିପ୍ରତି ଯତ୍ନବାନ୍ ହେବୁ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।