ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ

ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ।
ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ।
ଆଗାମୀ ପାଞ୍ଚ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ।ଚାଷୀଙ୍କ ଉନ୍ନତି ସାଧନ ପାଇଁ ଆମର ଦୃଢ ଇଛା ଶକ୍ତି ରହିଛି।
ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରି ପର୍ଯ୍ୟନ୍ତ ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ,ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ କହିଛନ୍ତି, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରୁ ଆସିଥାଏ। ଚାଷ ସହିତ ନିଜର ଅନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚାଷ କାର୍ଯ୍ୟ କଠିନ ପରିଶ୍ରମର କାର୍ଯ୍ୟ। ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ପୂର୍ବ ସରକାର ଏମ.ଏସ୍.ପି ପାଇଁ କେବଳ ବିଧାନସଭାରେ ଏକ ରିଜୋଲ୍ୟୁସନ ଆଣି ଚୁପ୍ ରହିଗଲେ। ଆମେ କଥା ଦେଇଥିଲୁ, କଥା ରଖି ୩,୧୦୦ ଟଙ୍କା ଏମ.ଏସ୍.ପି ଦେଲୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମ ଠାରେ ଓଡିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ଉନ୍ମୋଚନ କରିଥିଲେ।
ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ପବିତ୍ର ଅକ୍ଷୟ ତୃତୀୟରେ ଚାଷୀ ତା’ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀ ମାନଙ୍କ ସହିତ ଆମ ସରକାର ସବୁବେଳେ ଛିଡାହେବ। କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି। ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ।
କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।
କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅକ୍ଷୟତୃତୀୟା ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଧଉଳି ପାଖ ଟିକରପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ଠାରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ,ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ,ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ ,ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ଓ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *