୧୧ ଗୋଟି ଉପାନ୍ତ ଗାଁ , ପଞ୍ଚାୟତରୁ ୮୫ କିମି ଦୂରରେ। ୧ ଟଙ୍କାର ଚାଉଳ ପାଇଁ ୧୫୦ ଟଙ୍କା ଖର୍ଚ୍ଚ।

ଆମର ଏହି ନ୍ୟୁଜ ସେଗମେଣ୍ଟ “we state, you investigate ” ଆମେ ଏଠି ସରକାରଙ୍କୁ ଦୃଢତାର ସହ ଦର୍ଶାଉଅଛୁ, ଯାହାକୁ କି ସରକାର ତର୍ଜମା କରନ୍ତୁ। ଆବଶ୍ୟକ ସ୍ଥଳେ ବିଗତ ବିଜେଡି ସରକାର କିମ୍ବା ବର୍ତ୍ତମାନର ବିଜେପି ସରକାରଙ୍କ ସମୟରେ ଦାୟିତ୍ଵରେ ଅବହେଳା କରିଥିବା ସରକାରୀ ବାବୁଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରନ୍ତୁ। ସେ ଯାହାବି ହେଉ କଳାହାଣ୍ଡି ଜିଲ୍ଲାରେ
ଅପହଞ୍ଚ ଇଲାକାର ୧୧ ଗୋଟି ଉପାନ୍ତ ଗାଁ, ପଞ୍ଚାୟତ ଅଫିସରୁ ୮୫ କିମି ଦୂରରେ ରହିଅଛି।


୧ ଟଙ୍କା ଚାଉଳ ପାଇଁ ୧୫୦ ଟଙ୍କା ଖର୍ଚ୍ଚ ହେଉଛି। ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି।ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଓ ଲାଞ୍ଜିଗଡ ବ୍ଲକ ଏଭଳି ୧୧ ଗୋଟି ଗାଁ ଅଛି ଯେଉଁଠି ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଗାଁ ଲୋକଙ୍କ ପାଇଁ ମୌଳିକ ସୁବିଧା ସାତ ସପନ ହୋଇ ରହିଛି।ବର୍ଷ ବର୍ଷ ଧରି ପାହାଡ଼ ଆର ପାଖରେ ବହୁ କଷ୍ଟରେ ଜୀବନ କାଟୁଛନ୍ତି ଏହି ଗ୍ରାମର ୩୮୦ରୁ ଉର୍ଦ୍ଧ୍ବ ପରିବାର।ଏମାନଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଗୁହାରୀ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।


ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ସଦର ବ୍ଲକ ଓ ଲାଞ୍ଜିଗଡ ବ୍ଲକ ସୀମାନ୍ତ ଯୁଗସାଇପାଟଣା ପଞ୍ଚାୟତର ସୀମାନ୍ତର ୧୧ ଗୋଟି ଗାଁ ହେଉଛି ସଲପାଙ୍ଗ,କଟଲଙ୍ଗ,ମଣ୍ଡିଆବିରି,କୁସକିନାର, ପଞ୍ଚକୁଲ, କଟରୁସରୁ, ଝେନଙ୍କାପିଟା,ରଙ୍ଗିଗୁଡା,ମନସ୍କା, ଖଜୁରଗୁଡା ଓ ବଡ଼ମ୍ଭା। ଯାହାର ଦୂରତା ବ୍ଲକ ମୁଖ୍ୟାଳୟଠାରୁ ୬୦ କିଲୋମିଟର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଯୁଗସାଇପାଟଣା ଠାରୁ ପ୍ରାୟ ୮୫ କିଲୋମିଟର ପଡେ।ଏହି ପଞ୍ଚାୟତ ଓ ୧୧ ଗୋଟି ମଧ୍ୟରେ ୪ ଗୋଟି ପାହାଡ଼,୩ ଟି ନାଳ, ଝରଣା,ଘଞ୍ଚ ଜଙ୍ଗଲ ଓ ଘାଟି ଦେଇ ପାଦ ଚଲା ରାସ୍ତା ୨୫ କିଲୋମିଟର ଚଲା ବାଟ ରହିଥିବା ବେଳେ ଯିବା ଆସିବା ଲୋକଙ୍କ ପାଇଁ ସମ୍ଭବ ହୋଇନଥାଏ। ଯିଏ ରାସ୍ତା ଦେଇ ଯାଏ ସର୍ବଦା ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି।ଫଳରେ ଲୋକଙ୍କ ପାଇଁ ଯିବା ଆସିବା ସମ୍ଭବ ହୋଇନଥାଏ।ତେଣୁ ଏହି ଗ୍ରାମବାସୀମାନେ ଲାଞ୍ଜିଗଡ ବ୍ଲକ ଲାଖବାହିଲି ପଞ୍ଚାୟତ ଦେଇ ୧୦ କିଲୋମିଟର ଆସିବା ପରେ ମୂଷାନାଳ ଭବାନୀପାଟଣା ଦେଇ ନିଜ ଯୁଗସାଇପାଟଣା ପଞ୍ଚାୟତକୁ ୮୫ କିଲୋମିଟର ଯିବାକୁ ପଡିଥାଏ।ଏହି ୧୧ ଗୋଟି ଗାଁରେ ପ୍ରାୟ ୩୮୦ ପରିବାର। ୩୮୦ ପରିବାର ସମୁଦାୟ ଜନସଂଖ୍ୟା ହେଉଛି ପ୍ରାୟ ୨୭ ଶହରୁ ଅଧିକ। ସରକାରଙ୍କ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟରେ ଦୁର୍ନୀତି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ତଦାରକ ଠିକ୍ ଭାବରେ ହେଉନଥିବା ଯୋଗୁଁ ଲୋକ ଅଭିଯୋଗ କରିବା ପାଇଁ ମଧ୍ୟ ଏତେ ବାଟ ଯିବାକୁ ସମ୍ଭବ ହୋଇନଥିବା ପ୍ରକାଶ କରିଛନ୍ତି। ସବୁଠାରୁ ପରିତାପର ବିଷୟ ହେଲା ହିତାଧିକାରୀ ପଞ୍ଚାୟତରୁ ପାଉଥିବା ରାସନ ଓ ଭତ୍ତା ଆଣିବା। ନିଜ ଗାଁଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାୟ ୮୫ କିଲୋମିଟର ହୋଇଥିବା ବେଳେ ରାସନ ସାମଗ୍ରୀ ଆଣିବା ପାଇଁ ଏହି ୧୧ ଗୋଟି ଗାଁର ୩୮୦ ପରିବାରଙ୍କୁ ୧୨ ଗୋଟି ପିକଅପ୍ ଭ୍ୟାନ ଭଡା କରିବାକୁ ପଡିଥାଏ। ଗାଡି ପିଛା ୪ ରୁ ୫ ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଥିବା ବେଳେ ହାରାହାରି ମୋଟ ୪୦ ରୁ ୫୦ ହଜାର ଟଙ୍କା ଗାଡି ଭଡାରେ ଖର୍ଚ୍ଚ ହେଉଥିବା ବେଳେ ୧ ଟଙ୍କା ଚାଉଳ ପାଇଁ ହିତାଧିକାରୀଙ୍କୁ ଜଣ ପିଛା ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏନେଇ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ,ବିଡ଼ିଓ ତଥା ଅନ୍ୟ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ବେଳେ ଭବାନୀପାଟଣା ସଦର ବ୍ଲକର ଏହି ଯୁଗସାଇପାଟଣା ପଞ୍ଚାୟତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଯୋଗୁଁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଏହି ୧୧ ଗୋଟି ଗାଁର ହିତାଧିକାରୀ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଫଟୋ ନ୍ୟୁଜ ଟାଇମସ୍ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *