ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ

 

କନ୍ଧମାଳ ପୁଲିସ ଜାରି କଲା ପୋଷ୍ଟର। “ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ”।
କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଅଭିଯାନକୁ ଜୋରଦାର କରାଯାଇଛି। ଏ ଦିଗରେ ତତ୍ପର ହୋଇଛି କନ୍ଧମାଳ ପୁଲିସ। କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ଵାନ ଦିଆଯାଇଥିବା ବେଳେ ଏବେ ଆରମ୍ଭ ହୋଇଛି ଆଉ ଏକ ନୂଆ ଅଭିଯାନ। ମାଓବାଦୀଙ୍କୁ ଧରାଇ ଦେଇ ଆକର୍ଷଣୀୟ ଅର୍ଥ ପୁରସ୍କାର ପାଇବା ପାଇଁ ଡାକରା ଦିଆଯାଇଛି। ବାଲିଗୁଡା , ତୁମୁଡିବନ୍ଧ ଓ କୋଟଗଡ ଥାନା ଅଞ୍ଚଳ ର ମାଓପ୍ରବଣ ବାରଖମା, ସୁଦ୍ରା, ଗଟାଙ୍ଗୀ, କାମେରିକିଆ, ମେଲସିକିଆ, ଡାକା, ପୋଖରୀବନ୍ଧ, ତୁମୁଡିବନ୍ଧ, କୋଟଗଡ, ସୁବର୍ଣ୍ଣଗିରି, ଶ୍ରୀରାମପୁର, ସିର୍ଲା, ବଣ୍ଡାପିପିଲି, ଦୂର୍ଗାପଙ୍ଗା ସମେତ ବିଭିନ୍ନ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖ‌ିବାକୁ ମିଳିଛି।

ପୋଷ୍ଟରରେ ରହିଛି ୧୩ ଜଣ କ୍ୟାଡର ମାଓବାଦୀଙ୍କ ତାଲିକା ଏବଂ ସେମାନଙ୍କୁ ଧରିବା ପାଇଁ ରହିଥ‌ିବା ପୁରସ୍କାର ମୂଲ୍ୟ। ତାଲିକା ଅନୁସାରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ମୁଣ୍ଡ ଉପରେ ସର୍ବାଧ‌ିକ ୧ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥ‌ିବା ବେଳେ ତା ପଛକୁ ରହିଛି ସ୍ବତନ୍ତ୍ର ଜୋନାଲ କମିଟି ସଦସ୍ୟ ସୁଦର୍ଶନ, ନିହ୍ଲ, ଅଙ୍କିତା, ଶୁକ୍ରୁ ଓ ନୀତାଙ୍କ ନାମ। ଏମାନଙ୍କ ପାଇଁ ରହିଛି ୬୫ ଲକ୍ଷ ଟଙ୍କାର ପୁରସ୍କାର। ପ୍ଲାଟୁନ କମାଣ୍ଡର ଶୀଲା ଏବଂ ରେଣୁଙ୍କ ପାଇଁ ୩୨.୫୦ ବେଳେ ଡିଭିଜନାଲ କମିଟି ମେମ୍ବରଙ୍କ ପାଇଁ ରହିଛି ୩୨ ଲକ୍ଷ ଟଙ୍କା ପୁରସ୍କାର। ଯେ କୌଣସି ବ୍ୟକ୍ତି ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପାଇପାରିବେ ବୋଲି କହିଛନ୍ତି କନ୍ଧମାଳ ଏସ୍‌ ପି ହରିଶ ବିସି। ବିଭିନ୍ନ କ୍ୟାଡରଙ୍କ ପାଇଁ ରହିଥ‌ିବା ଅର୍ଥ ପୁରସ୍କାରର ସୂଚନା ଏଥିରେ ଦିଆଯାଇଛି। ଏଥିସହିତ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଫଟୋ ସହିତ ସରକାରଙ୍କ ପକ୍ଷରୁ ରହିଥିବା ଥଇଥାନ ପ୍ୟାକେଜ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି । ଏ ଦିଗରେ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ଏସପି ।

ଲୋକ ନିର୍ଭୟରେ ଏହି ଅଭିଯାନରେ ପୁଲିସକୁ ସହଯୋଗ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି । ମୋଟାମୋଟି ଭାବେ ମାଓ ବିରୋଧୀ ଅଭିଯାନ ଏବେ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିବା ପୁଲିସର ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାଓବାଦୀ ମାନେ କେବଳ ସରକାରି ବ୍ୟବସ୍ଥାର ଶତ୍ରୁ ନୁହନ୍ତି। ଏମାନେ ଜନସାଧାରଣଙ୍କର ଉନତି ପାଇଁ ମଧ୍ୟ ବାଦକ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *