ପେଣକାମଠାରେ ଗୋଷ୍ଠିସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ।
ରାୟଗଡାଜିଲ୍ଲା ରାମନାଗୁଡ଼ାବ୍ଲକ ପେଣକାମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠି ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି।ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଲେଖାଏଁ ସର୍ବମୋଟ ୧୧୦ ଶିକ୍ଷକ,ଶିକ୍ଷୟିତ୍ରୀ ସ୍ବେଛାସେବୀ ଭାବେ ଉପସ୍ଥିତ ଥିଲେ। ଏମାନେ ଗତ ଶିକ୍ଷାବର୍ଷରେ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟକରି ଅଧାରୁ ପାଠ ଛାଡିଥିବା ପିଲା ଓ ବୟସ୍କ ନିରକ୍ଷରମାନଙ୍କୁ ଚିହ୍ନଟକରି ସେମାନଙ୍କୁ ଶିକ୍ଷା ଦେଇ ସାକ୍ଷର କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।ପ୍ରଥମେ ଏକ ସାକ୍ଷରତା ସଚେତନ ରାଲି କରାଯାଇଥିଲା। ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିଥିଲେ।ତତ୍ପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା।ଏହି କର୍ମଶାଳାରେ ଗୋଷ୍ଠି ଶିକ୍ଷାଧିକାରୀ ସୁଜନ ମଲ୍ଲିକ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଦାମୋଦର ହିମିରିକା ଓ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ନୋଡାଲ ଅଫିସର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ବ୍ଲକ ସମ୍ବଳ ବ୍ୟକ୍ତି ରମେଶ ମିଶ୍ର ଓ ଅଶ୍ୱିନୀ ତ୍ରିପାଠୀ ମଞ୍ଚାସୀନ ଥିଲେ।ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ଓ ପୂଜାର୍ଚ୍ଚନା କରିବାପରେ ସାକ୍ଷରତା ଦିବସ କଣ,କାହାକୁ ସାକ୍ଷର କୁହାଯିବଏବଂ ଆଗାମୀ ସମୟରେ ଏହି କାର୍ଯ୍ୟକ୍ରମର ପରିଚାଳନା କିପରି କରାଯିବ ଏ ସମ୍ପର୍କରେ ବିଇଓ ସୁଜନ ମଲ୍ଲିକ ସମସ୍ତ ଶିକ୍ଷକମାନଙ୍କୁ ବୁଝାଇଥିଲେ।

ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଓ ଦାମୋଦର ହିମିରିକା ସାକ୍ଷର ଭାରତ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।ବ୍ଲକ ସମ୍ବଳ ବ୍ୟକ୍ତି ତଥା ବରିଷ୍ଠ ଶିକ୍ଷକ ରମେଶ ମିଶ୍ର ସାକ୍ଷରତା କାହାକୁ କୁହାଯିବ ଏବଂ ନିପୁଣ ଭାରତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଶେଷରେ ବରିଷ୍ଠ ଶିକ୍ଷକ ଅଶ୍ୱିନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଗୁଣୁପୁରୁରୁ ଫଟୋ ନ୍ୟୁଜ ଟାଇମସ ର ସାମ୍ବାଦିକ ହୃଷିକେଶ ପାତ୍ରଙ୍କ ରିପୋର୍ଟ।
