କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତରେ କୁଣ୍ଡରେ ଗତକାଲି ଗାଧୋଇବା ବେଳେ ହରିଚନ୍ଦନପୁର ବ୍ଲକ ବଡସିଆଡିମାଳ ଗ୍ରାମର ସତ୍ୟପ୍ରକାଶ ମହାନ୍ତ ବୁଡିଯାଇ ନିଖୋଜ ହୋଇଯାଇଥିଲେ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ସତ୍ୟପ୍ରକାଶଙ୍କ କୌଣସି ସନ୍ଧାନ ମିଳିନଥିଲା। ତେବେ ଆଜି ଜଳପ୍ରପାତରୁ ୨୦୦ ମିଟର ଦୂରରେ ଏକ ପଥର ଖୋଲ ଭିତରେ ମୃତଦେହ ଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ପକ୍ଷରୁ ଦୀର୍ଘସମୟ ଧରି ବହୁ ଚେଷ୍ଟା ପରେ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ତେବେ ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ହୋଇଥିବା ବେଳେ ପୂର୍ବରୁ ବୁଡିଯାଇ ନିଖୋଜ ଥିବା ବାଲେଶ୍ଵର ବର୍ତନା ଗ୍ରାମର ଯୁବକଙ୍କ ଆଜିଯାଏ ପତ୍ତା ମିଳିନାହିଁ। ଅନେକ ସମୟରେ ଏଭଳି ଘଟଣା ଘଟୁଥିବା ବେଳେ ଗୁଣ୍ଡିଚାଘାଗିରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ଜଳପ୍ରପାତ ଗୁଡିକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶିଟିଭି କ୍ୟାମେରା ଲାଗେଇବାର ଆବଶ୍ୟକତା ଅଛି। ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ପର୍ଯ୍ୟଟକ ମାନେ ସଠିକ ଖବରରୁ ବଞ୍ଚିତ ହେବେ ଏବଂ କ୍ରିମନାଲ ମାନେ ଏହାକୁ ବ୍ୟବହାର କରି ମୃତଦେହ ଫୋପାଡ଼ି ଦେଇ ସହଜରେ ଦୋଷମୁକ୍ତ ହେଇପାରିବେ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।
ଘଟଗାଁ ରୁ ମନୋଜ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
