ବିଧାନସଭା ଠାରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧଦିବସ ପାଳିତ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ହୁ ଇଜ୍ ହୁ’ ପୁସ୍ତକ ଲୋକର୍ପିତ।ଡାଏରୀ ଓ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ବାଚସ୍ପତି।
ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବି୍ରଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା । ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳ ଓଡ଼ିଶା ଓ ଭାରତବର୍ଷର ରାଜନୀତିକୁ ସେ ଆଚ୍ଛନ୍ନ କରି ରଖିଥିଲେ ।

ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ସାଂସଦ ଭର୍ତ୍ତୃହରି ମହତାବ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍, ବିଧାୟକ ଅମରେନ୍ଦ୍ର ଦାସ, ବାବୁ ସିଂ, ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା, ଓମ୍ପ୍ରକାଶ ମିଶ୍ର, ଶ୍ରୀ ରଘୁନାଥ ଜଗଦଲା ଓ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ। ବିଧାୟିକା ସୀମାରାଣୀ ନାୟକ, ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା,

ବିଧାନସଭାର ସଚିବ ତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ବିଧାନସଭା ପରିସରରେ ଥିବା ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ‘ଓଡ଼ିଶା ବିଧାନସଭା ସଦସ୍ୟ ପରିଚୟ ଗ୍ରନ୍ଥ ‘ହୁ ଇଜ୍ ହୁ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ପ୍ରତି ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଏହି ପୁସ୍ତକ ପ୍ରକାଶିତ ହେବାର ପରମ୍ପରା ରହିଛି । ସାଧାରଣତଃ ଏହି ପୁସ୍ତକ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ଜୀବନୀ ଓ ତଥ୍ୟ ଉପରେ ଆଧାରିତ ।

କାର୍ଯ୍ୟକ୍ରମରେ ବିଧାନସଭା ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ପ୍ରକାଶିତ ଡାଏରୀ ଓ କ୍ୟାଲେଣ୍ଡରକୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଓ ଲୋକସମ୍ପର୍କ ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
