ବ୍ଲକ ସ୍ତରୀୟ ପ୍ରବେଶ ଓ ଖୋଡ଼ି ଛୁଆଁ ଉତ୍ସବ

ରାମନାଗୁଡ଼ାରେ ବ୍ଲକ ସ୍ତରୀୟ ପ୍ରବେଶ ଓ ଖୋଡ଼ି ଛୁଆଁ ଉତ୍ସବ ପାଳିତ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ତାମ୍ପରଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରବେଶ ଓ ଖୋଡ଼ି ଛୁଆଁ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶିକ୍ଷା ରଥ କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଶିକ୍ଷା ସଚେତନତା ରଥଟି ଚଳିତ ମାସ ଚାରି ତାରିଖ ଠାରୁ ଦଶ ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ଗ୍ରାମାଞ୍ଚଳ ରେ ଥିବା ବିଦ୍ୟାଳୟ ଗୁଡିକ ରେ ପହଞ୍ଚି ଶିକ୍ଷାର ବାର୍ତ୍ତା ଦେବା ସହିତ ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିଜ କହିଛନ୍ତି।ଏହି ଅବସରରେ ନୂତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରାଯାଇଥିଲା।


ଏହି ଉତ୍ସବଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ,ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବ୍ଲକ ଅଧୀନରେ ଥିବା ସମସ୍ତ ସିଆରସିସି,ସ୍ଥାନୀୟ ଜନପ୍ରତିନିଧି, ଶିକ୍ଷକ ଓ ଅଭିଭାବକମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଫୁଲମାଳା, ପୁସ୍ତକ, ବ୍ୟାଗ ଓ ଶିକ୍ଷା ସାମଗ୍ରୀ ଦେଇ ସ୍ୱାଗତ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କ ମୁହଁରେ ଖୁସିର ହସ ଦେଖିବାକୁ ମିଳିଥିଲା।


ଏହା ସହ ଶିଶୁମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ,ନୃତ୍ୟ ଆୟୋଜନ କରାଯାଇଥିଲା। ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଅତିଥିମାନେ ତାଙ୍କ ମତାମତ ରଖି ଅଭିଭାବକ ମାନଙ୍କୁ ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବାକୁ ପରାମର୍ଶ ଦେଇଥିଲେ।
ବିଶେଷ କରି ଏହି ଉତ୍ସବର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୂଖ୍ୟ ଧାରାରେ ଆଣିବା ଓ ବିଦ୍ୟାଳୟ ପ୍ରତି ଆକର୍ଷଣ ବୃଦ୍ଧି କରିବା। ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହମୟ ପରିବେଶରେ ସଫଳ ଭାବେ ସମାପ୍ତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଅଶ୍ୱିନୀ ତ୍ରିପାଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *