ରାୟଗଡ଼ା ଜିଲ୍ଲା ପୋଲିସକୁ ମାଓ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ଗୁପ୍ତ ସୂଚନା ଆଧାରରେ ପୋଲିସ ଏକ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାଜ ପ୍ରସାଦ।

ସୂଚନା ଅନୁଯାୟୀ, ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଆଉଟପୋଷ୍ଟ ଅଧୀନରେ ଥିବା ଢେପାଗୁଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରାୟଗଡ଼ା ପୋଲିସ ପକ୍ଷରୁ ଡିଭିଏଫ୍ ଏବଂ ଏସଓଜି ବାହିନୀକୁ ନେଇ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ପୋଲିସ ଦଳ ମାଓବାଦୀଙ୍କ ଗୁପ୍ତ ଡମ୍ପ (ଲୁକ୍କାୟିତ ସ୍ଥାନ) ଠାବ କରିଥିଲେ। ଏହାପରେ ଜିଲ୍ଲା ବୋମା ନିଷ୍କ୍ରିୟକାରୀ ଦଳର ସହାୟତାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଉକ୍ତ ସ୍ଥାନରେ ଯାଞ୍ଚ କରାଯାଇଥିଲା ଏବଂ ଗତ ଜୁନ ତେର ରିଖରେ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଉକ୍ତ ଗୁପ୍ତ ଡମ୍ପରୁ ପୋଲିସ ଏକ ୩୦୩ ରାଇଫଲ୍ ସହିତ ୩୭ ରାଉଣ୍ଡ ଗୁଳି, ୧୦ ଟି ଖାଲି ୧୨ ବୋର କାର୍ଟିଜ୍, ଏକ ୩୦୩ ମ୍ୟାଗାଜିନ୍, ଏବଂ ଏକ ପାଉଚ୍ ଜବତ କରିଛି।

ଏହା ସହିତ ୦୬ ଟି ଚାର୍ଜର କ୍ଲିପ୍, ୮ ମିଟର କୋର୍ଡେକ୍ସ ତାର, ପ୍ରାୟ ୫୦ ଗ୍ରାମ ଗନ ପାଉଡର, ଏବଂ ୫ ବିଡ଼ା କୋଡେକ୍ସ ଭଳି ବିପଦଜ୍ଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ଜାନୁଆରୀ-୨୦୨୫ ରୁ ୩୧-ମାର୍ଚ୍ଚ-୨୦୨୬ ମଧ୍ୟରେ ରାୟଗଡ଼ା ପୋଲିସ ନିକଟରେ ରାଜ୍ୟ କମିଟି ସଦସ୍ୟ ନିଖିଲ ଏବଂ ଇନ୍ଦୁଙ୍କ ସମେତ ମୋଟ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଭବିଷ୍ୟତରେ ଯେପରି ମାଓବାଦୀ କାର୍ଯ୍ୟକଳାପ ପୁନର୍ବାର ମୁଣ୍ଡ ଟେକି ନପାରେ, ସେଥିପାଇଁ ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫ୍ ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ କୋମ୍ବିଂ ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି।ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
