ସରପଞ୍ଚ ଚାମେଲିଙ୍କୁ ଡାକ୍ତରଖାନାରୁ ଜେଲ ନେବା ପ୍ରତିବାଦ ରେ ଥାନା ଘେରାଉ।
ଏସ.ପି.ଙ୍କ ସହ ଆଲୋଚନା କଲେ ପି.ସି.ସି. ସଭାପତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଡାକ୍ତରଖାନାରୁ ଜେଲ ପଠାଇଛି ପୁଲିସ । ହେଲେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ରଖିବା ପାଇଁ ମନା କରିଦେଇଛନ୍ତି । ଫଳରେ ପୁନର୍ବାର ତାଙ୍କୁ ଡାକ୍ତରଖାନାକୁ ଫେରାଇ ଅଣାଯାଇଛି । ଏହି ଘଟଣାକୁ ନେଇ ଶନିବାର ବିଜେପି ନେତା ସୌଭାଗ୍ୟ ପରିଡ଼ାଙ୍କ ନେତୃତ୍ୱରେ ମହାକାଳପଡ଼ା ଥାନା ଘେରାଉ କରାଯାଇଛି । ବିନା ଅପରାଧରେ ଚାମେଲିଙ୍କୁ ଗିରଫ କରାଯାଇଥିବାରୁ ଶ୍ରୀ ପରିଡ଼ା ଏହାକୁ ବିରୋଧ କରିଥିଲେ । ସେ କହିଥିଲେ ଚାମେଲି ଜନତାଙ୍କ ସ୍ୱାର୍ଥ ପାଇଁ ବିଡିଓଙ୍କ ସହ ଯୁକ୍ତି କରିଥିଲେ । ବିଡିଓ ହେଉଛନ୍ତି ସରକାରୀ କର୍ମଚାରୀ । ଜଣେ ଜନ ପ୍ରତିନିଧି ଭାବେ ସରପଞ୍ଚ ତାଙ୍କୁ କୈଫତ ମାଗିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ହେଲେ ପୁଲିସ ଓ ମହାକଳପଡ଼ା ବିଧାୟକଙ୍କ ଗୁଣ୍ଡାମାନେ ତାଙ୍କୁ ମାଡ ମାରି ଗୁରୁତର କରିଛନ୍ତି । ପୁଲିସ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଛି ।

ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଥାନା ଘେରାଉ କରାଯାଇଛି ବୋଲି ଶ୍ରୀ ପରିଡ଼ା କହିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ପହଞ୍ଚିଥିଲେ । ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହାପରେ ଶ୍ରୀ ଦାସ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଆଲୋଚନା କରିଥିଲେ । ବିନା ଅପରାଧରେ ଜଣେ ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିବା ସମ୍ବିଧାନ ବିରୋଧୀ କାର୍ଯ୍ୟ । ତେଣୁ ତାଙ୍କ ବିରୋଧରେ ହୋଇଥିବା ମାମଲାର ଉପଯୁକ୍ତ ତଦନ୍ତ କରାଯାଉ । ଚାମେଲିଙ୍କୁ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଯେଉଁ ଗୁଣ୍ଡାମାନେ ମାଡ ମାରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାସହ ପୁଲିସ ଛଡାଇ ନେଇଥିବା ତାଙ୍କ ମୋବାଇଲ ଫୋନ ତୁରନ୍ତ ତାଙ୍କୁ ଫେରାନ୍ତୁ ବୋଲି ଶ୍ରୀ ଦାସ ଏସପିଙ୍କୁ କହିଥିଲେ । ଏସପିଙ୍କୁ ଭେଟିବା ପରେ ଶ୍ରୀ ଦାସ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଥିଲେ । ଜିଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କହିବା ସହ ବିଡିଓ କାହିଁକି ତିଖିରୀ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ବିଲ ଅଟକାଇଥିଲେ ସେ ନେଇ ଆଲୋଚନା କରିଥିଲେ।

ଏହା ସହ କେଉଁ କାରଣ ପାଇଁ ବିଲ ଅଟକାଇଥିଲେ ତାହାର କାରଣ ମଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲାପାଳଙ୍କୁ କହିଥିଲେ । ଏହି ଘଟଣା ଯୋଗୁଁ ଚାମେଲିଙ୍କ ଯେଉଁ ମାନହାନୀ ହେଲା ସେ ନେଇ ତାଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ । ଜେଲରେ ତାଙ୍କୁ ମାରିଦେବାର ଷଡ଼ଯନ୍ତ୍ର କରାଯାଇପାରେ । ପୂର୍ବରୁ ଏହଭିଳି ଘଟଣା ରାଜ୍ୟରେ ଅନେକ ଘଟିଛି । ତେଣୁ ତାଙ୍କୁ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଥିଲେ ।

ଶ୍ରୀ ଦାସଙ୍କ ସହ କଂଗ୍ରେସ ଜିଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଉପସ୍ଥିତ ଥିଲେ । ଏହି ଘଟଣାକୁ ନେଇ ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି । ଦଳର ଜିଲା ସଂପାଦକ ବିକାଶ ବେଉରାଙ୍କ ନେତୃତ୍ୱରେ ରାଜ୍ୟ କମିଟି ସଭ୍ୟ ଆଇନ୍ଜୀବୀ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ ପ୍ରମୁଖ ଜିଲାପାଳଙ୍କୁ ଭେଟି ପ୍ରଶାସନ ଉପରେ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ବିରୋଧ କରିଛନ୍ତି । କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
