ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ସ୍ଥାନୀୟ ଟାଉନ ହଲ ଠାରେ ପାଳିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ବିଧାୟକ ରାୟଗଡ଼ା ଆପାଲାସ୍ଵାମୀ କାଡ୍ରାକା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବିଭିନ୍ନ ଶ୍ରମ ଆଇନ୍ ବିଶେଷକରି ସର୍ବ ନିମ୍ନ ଆଇନ୍, ମଜୁରି ପ୍ରଦାନ ଆଇନ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ସମ୍ପର୍କରେ ସୂଚନା ପ୍ରଦାନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଜିଲ୍ଲାରେ ପଞ୍ଜୀକୃତ ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକ ଓ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ସମସ୍ତ ଆମନ୍ତ୍ରିତ ଅତିଥିଗଣ ଶ୍ରମିକ ମାନଙ୍କର ଅଧିକାର ଓ ଶ୍ରମ ଦିବସ ସମନ୍ଧରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ରାୟଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୧,୧୮,୬୯୮ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।ଶ୍ରମିକ ଦିବସ ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ନିମନ୍ତେ ୫୭ ଜଣ ହିତାଧିକାରୀଙ୍କୁ ୪,୮୫,୬୦୦/- ଟଙ୍କା, ୯ ଜଣଙ୍କୁ ବିବାହ ସହାୟତା ପାଇଁ ୪,୫୦,୦୦୦/- ଟଙ୍କା, ପ୍ରସୂତୀକାଳିନ ସହାୟତା ୪ ଜଣଙ୍କୁ ୪୦,୦୦୦/-ଟଙ୍କା, ମୃତ୍ୟୁ କାଳୀନ ସହାୟତା ପାଇଁ ୪୨ ଜଣଙ୍କୁ ୮୮,୦୦,୦୦୦/- ଟଙ୍କା ଏବଂ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ୫୩ ଜଣଙ୍କୁ ୨,୬୫,୦୦୦/- ଟଙ୍କା ସର୍ଵମୋଟ ୧୬୫ ଜଣ ହିତାଧିକାରୀଙ୍କୁ ୧,୦୦,୪୦,୬୦୦/- ଟଙ୍କା ପ୍ରଦାନ କରାଯାଇଛି l ସେହିପରି ଅଣସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ୮ ଜଣ ମୃତ ହିତାଧିକାରୀଙ୍କ ଦlୟାଦଙ୍କୁ ୧୬,୦୦,୦୦୦/- ଟଙ୍କା ପ୍ରଦାନ କରାଯାଇଛି । ନୂତନ ଭାବେ ପଞ୍ଜିକୃତ ୧୨୮ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଛି।

ସେହିପରି ଓଡିଶା ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ଭୁବନେଶ୍ୱର, ରାୟଗଡ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ଯଥା ବୁଲା ବିକାଳି, କ୍ଷୁଦ୍ରବେପାରୀ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଅଟୋ ଚାଳକ, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ଖବର କାଗଜ ବିକାଳି, ସଫେଇ ବାଲା ଆଦି ୬୦ ପ୍ରକାରର ମୋଟ ୯୫୨୪ ଜଣ ପଞ୍ଜୀକୃତ ଶ୍ରମିକ ଅଛନ୍ତି l ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ।
