ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଳ କଷ୍ଟ

ଏବେବି “ଚୁଆପାଣି” ଭରସାରେ ଭିତରଧଡେଲ ଗାଁ ଲୋକମାନେ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତଠାରୁ ୭ କିମି ଦୂରରେ ଥିବା ଗାଁ ଭିତରଧଡେଲରେ ଦେଖା ଦେଇଛି ଗମନାଗମନ ଓ ପାନୀୟ ଜଳ ସଙ୍କଟ।ଏହି ଗାଁରେ ନଳକୂପ ନଥିବା ଯୋଗୁଁ ବର୍ଷ ବର୍ଷ ଧରି ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି।ଖରାଦିନେ ଝରଣା ପାଣି ଶୁଖିଯିବା ଫଳରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଥାନ୍ତି।ଏପଟେ ଆଦିବାସୀ ଏବଂ କୁଟିଆକନ୍ଧଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସରକାର ବିକାଶର ନାରା ପିଟୁଛନ୍ତି। କିନ୍ତୁ ଏଠି ପହଞ୍ଚି ପାରୁନି ସରକାରଙ୍କ ବିଭିନ୍ନ ଯୋଜନା।ଏହି ଗାଁରେ ପ୍ରାୟ ୧୫ ଘର ଆଦିବାସୀ ବା କୁଟିଆକନ୍ଧ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି କିନ୍ତୁ ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପାନୀୟ ଜଳ ।ମୂଷାନାଳ ଠାରୁ ବେନଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଧଡେଲ ଗାଁ କଲୋନୀ ପଡାଠାରୁ ପୂର୍ବ ଦିଗରେ ଦୁଇ କିମି ଦୂରରେ ଏହି ଗାଁ ରହିଛି।

ଗାଁକୁ ପାଦ ଚଲା ଜଙ୍ଗଲୀ ରାସ୍ତା ରହିଥିବା ବେଳେ କିଛି ଅଂଶ ବନ ବିଭାଗର କଟକଣା ରହିଛି ହେଲେ ରାସ୍ତା ନଥିବା ଯୋଗୁଁ ଗାଁର ବିକାଶ ମୂଳକ କାମ ହୋଇ ପାରୁନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।ସେହିପରି ଏହି ଗାଁରେ ମୂଳରୁ ନଳକୂପ ନ ଥିବା ଯୋଗୁଁ ଏକ କିଲୋମିଟର ଦୂର ଘାଟି ରାସ୍ତା ଦେଇ ଟିଟି ଝରଣାର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।ବର୍ଷା ଦିନରେ ପାଣି ଗୋଳିଆ ଓ ଖରା ଦିନରେ ଟିଟି ଝରଣା ପାଣି ସୁଖୀ ଯିବାରୁ ନାଇଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରୁଛନ୍ତି।ଏନେଇଁ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଗାଁ ଲୋକେ କହିଛନ୍ତି।ଏହି ଝରଣା ପାଣିରେ ବିଭିନ୍ନ ବନ୍ୟ ଯନ୍ତୁ ଓ ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବାବେଳେ ସେହି ଝରଣାର ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସି।

ଅନେକ ଏନଜିଓ ବା ସରକାରୀ ସଂସ୍ଥା ଲାଞ୍ଜିଗଡ ବ୍ଲକରେ କାର୍ଯ୍ୟ କରୁଛନ୍ତି କିନ୍ତୁ କାଗଜ କଲମରେ ହିଁ କାର୍ଯ୍ୟ ସୀମିତ ରହୁଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ଭିତର ଧଡେଲ ଗାଁ ହିଁ ସୂଚିତ କରୁଛି ଯେ କୁଟିଆ କନ୍ଧଙ୍କ ଉନ୍ନତି ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚାଲିଥିବା ବିଭିନ୍ନ ଯୋଜନା କିଛି କାମକୁ ନାହିଁ। ଆଦିବାସୀଙ୍କ ବିକାଶ ନାରେ ଆସୁଥିବା ଟଙ୍କା ହରି ଲୁଟ ହେଉଛି କିନ୍ତୁ ଏହି ଆଦିବାସୀ ଗାଁ ପାଇଁ କାହାର ଦରଦ ନାଇଁ। ଏନେଇ ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ଗାଁକୁ ଯିବାପାଇଁ ୨ କିମି ଦୂର ପାଦ ଚଲା ରାସ୍ତା ରହିଥିବା ବେଳେ ପ୍ରଥମରେ କିଛି ରେଭନ୍ୟୁ ଫରେଷ୍ଟ ଜଙ୍ଗଲ ରହିଛି।ସେଥିପାଇଁ ପଞ୍ଚାୟତ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅର୍ଥ ମଜୁର ହୋଇ ମଧ୍ୟ କାମ ହେଉନାହିଁ।
ଜିଲ୍ଲା ସ୍ତରରେ ଅଭିଯୋଗ ପରେ ଆର.ଡି. ବିଭାଗ ପକ୍ଷରୁ ଆସି ତଦନ୍ତ କରି ଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ଗାଁର ସମସ୍ୟା ପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। କଳାହାଣ୍ଡିରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୁଶାନ୍ତ ମାଝୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *