୨୦୦୫ରେ ୧୫୫୧ ଜଣଙ୍କୁ ଦିଆଯାଇଥିଲା ଦେଶାନ୍ତର ନୋଟିସ
କେନ୍ଦ୍ରାପଡ଼ା,ଓଡ଼ିଶାର ବାଂଲାଦେଶୀଙ୍କୁ ହଟାଯିବ ବୋଲି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ କେନ୍ଦ୍ରାପଡ଼ା ଜିଲାରେ ଥିବା ବାଂଲାଦେଶୀଙ୍କ ମଧ୍ୟରେ ଛନକା ପଶିଗଲାଣି । ମହାକାଳପଡ଼ା ବ୍ଲକ ହେଉଛି ବାଂଲାଦେଶୀଙ୍କ ଚରାଭୂଇଁ । ଏଠାରେ ବିଭିନ୍ନ ମାଧ୍ୟମରେ ବାଂଲାଦେଶୀମାନେ ଆସି ପ୍ରଥମେ ଫେରି ବେପାର କରୁଛନ୍ତି । ଏହାପରେ ଏଠାରେ ଭଡ଼ାରେ ରହୁଛନ୍ତି । ପରେ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି । ଏହାପରେ ଆଧାରକାର୍ଡ କରି ଏଠାକାର ସ୍ଥାୟୀ ବାସିନ୍ଦା ଭାବେ ନିଜକୁ ଦାବି କରୁଛନ୍ତି । ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରୁ ୨୦୦୫ ମସିହାରେ ୧୫୫୧ ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର ନୋଟିସ ଜାରି କରାଯାଇଥିଲା ।
କିନ୍ତୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହଯୋଗ ମିଳିବାରୁ ସେମାନେ ଦେଶାନ୍ତର ହୋଇ ନଥିଲେ । ଏବେ ଏହି ସଂଖ୍ୟା ବହୁଗୁଣିତ ହୋଇଯାଇଛି । ଏହି ବ୍ଲକର ରାମନଗର, ଖରିନାସୀ, ଜମ୍ବୁ, ବତିଘର ପ୍ରମୁଖ ପଞ୍ଚାୟତରେ ଭରପୁର ବାଂଲାଦେଶୀ ରହୁଛନ୍ତି । ସେହିପରି ପେଟଛେଲା ପ ।ୟତର ଅଧା ସ୍ଥାନ, ବଉଳକଣୀ ପଞ୍ଚାୟତର ଅଧା ସ୍ଥାନ, ନାଞ୍ଜୁରା ପଞ୍ଚାୟତର ଅଧା ସ୍ଥାନ, ସୁନତୀ ପଞ୍ଚାୟତର ଅଧା ସ୍ଥାନରେ ଏମାନେ ରହୁଛନ୍ତି । ପ୍ରଶାସନ ପକ୍ଷରୁ ଏମାନଙ୍କ ଚିହ୍ନଟ କାର୍ଯ୍ୟ କରାଯାଉନାହିଁ । କାରଣ ଯେତେବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁଛି ସେତେବେଳେ ସ୍ଥାନୀୟ ନେତା ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ।
ଫଳରେ ସେମାନଙ୍କୁ ଦେଶାନ୍ତର କରିବା ସହଜ ହେଉନାହିଁ । ଏମାନେ ଏବେ ରାଜନେତାଙ୍କ ଭୋଟ ବ୍ୟାଙ୍କ ସାଜିଛନ୍ତି । ଏମାନଙ୍କ ଭୋଟ ଯେଉଁ ଆଡକୁ ଢଳିବ ମହାକାଳପଡ଼ାରେ ସେହି ପ୍ରାର୍ଥୀ ବିଧାୟକ ହେବେ । ଏହି ଗୋଷ୍ଠୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ କରିବାରୁ ସେ ୨୦୨୪ ନିର୍ବାଚନରେ ହାରିଲେ । ତେଣୁ ରାଜନେତାମାନେ ମଧ୍ୟ ଏବେ ସେମାନଙ୍କୁ ଭୟ କରୁଛନ୍ତି । ସେମାନଙ୍କ ପାଇଁ ମୌଳିକ ସୁବିଧା କରିବା ପାଇଁ ଜନପ୍ରତିନିଧିମାନେ ବାଧ୍ୟ ହେଉଛନ୍ତି ।
କାରଣ ସେମାନେ ଅସନ୍ତୁଷ୍ଟ ହେଲେ ରାଜନୈତିକ ଦୃଶ୍ୟପଟ ଏହି ନିର୍ବାଚନମଣ୍ଡଳୀରେ ବଦଳି ଯାଉଛି ବୋଲି ଜଣେ ରାଜନୈତିକ ସମୀକ୍ଷକ କହିଛନ୍ତି । ଶିକ୍ଷାବିତ ଡ. ଚୈତନ୍ୟ ଚରଣ ପରିଡ଼ା କହିଛନ୍ତି ଯେଉଁମାନେ ଦେଶ ଓ ରାଜ୍ୟ ପାଇଁ ବିପଦ ସେମାନଙ୍କୁ ଦେଶାନ୍ତର କରାଯିବାର ଆବଶ୍ୟକତା ରହିଛି । ଗୋଟିଏ ସମୟରେ ଜନ ପ୍ରତିନିଧିମାନେ ସେମାନଙ୍କୁ ସହଯୋଗ କରୁଛନ୍ତି । ଫଳରେ ସେମାନେ କାୟା ବିସ୍ତାର କରୁଛନ୍ତି ।
ଯେତେବେଳେ ନେଡି ଗୁଡ଼ କହୁଣୀକୁ ବୋହିଯାଉଛି ସେତେବେଳେ ଚେତା ପଶୁଛି ଓ ସେମାନଙ୍କୁ ହଟାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଏ କ୍ଷେତ୍ରରେ ଭୋଟ ବ୍ୟାଙ୍କ ରାଜନୀତିର ଊଦ୍ଧ୍ୱର୍ରେ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଢ ନିଷ୍ପତ୍ତି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଡ. ପରିଡ଼ା କହିଛନ୍ତି ।