ଦକ୍ଷିଣ ପଶ୍ଚିମ ମୌସୁମୀ ୨୦୨୫ ଜନିତ ବର୍ଷାର ମୁକାବିଲା ଘେନି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ଅନୁଷ୍ଠିତ

ଦକ୍ଷିଣ-ପଶ୍ଚିମ ମୌସୁମୀ-୨୦୨୫ ଜନିତ ବର୍ଷାର ମୁକାବିଲା ଘେନି ଜିଲ୍ଲା ସ୍ତରୀୟ ପ୍ରାକୃତିକ
ବିପର୍ଯ୍ୟୟ ବୈଠକ ଅନୁଷ୍ଠିତ।
ଜନ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ମିଳିତ ଆଲୋଚନା କରି କାର୍ଯ୍ୟକଲେ ଜିଲ୍ଲାର ଉନ୍ନତି ସମ୍ଭବ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ ବିଭୁତି ଜେନା।

ଆଗାମୀ ଦକ୍ଷିଣ-ପଶ୍ଚିମ ମୌସୁମୀ,୨୦୨୫ ସମୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ କେଉଁ ସବୁ ସତର୍କତା ପଦକ୍ଷେପ ନିଆଯିବ ସେଗୁଡିକର ସମୀକ୍ଷା କରିବା ପାଇଁ ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଜିଲ୍ଲା ସ୍ତରୀୟ କମିଟି ବୈଠକ ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୈଠକରେ ଯୋଗଦାନ କରି ଅବଗତ କରାଇଥିଲେ ଯେ, ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ମିଳିତ ଉଦ୍ୟମରେ ସମସ୍ୟା ଗୁଡିକର ସମାଧାନ କିପରି ହୋଇ ପାରିବ ତାହା ଆଲୋଚନା କରାଯାଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଉ। ଲୋକଙ୍କ ନିକଟରେ ସରକାରୀ ଯୋଜନା ଗୁଡିକ ସଠିକ ମାର୍ଗରେ ପହଞ୍ଚି ପାରିଲେ ଏବଂ ସେଥିରୁ ଲୋକେ ଉପକୃତ ହୋଇପାରିଲେ ଲୋକଙ୍କ ପାଖରେ ସରକାରଙ୍କ ବିଶ୍ବାସ ଅତୁଟ ରହିବ ।

ବ୍ରହ୍ମପୁର ସହରରେ ଅଳ୍ପ ବର୍ଷା ହେଲେ ବନ୍ୟା ପରିସ୍ଥିତି ଭଳି ସମସ୍ୟାମାନ ଦେଖାଯାଉଛି । ସାମାନ୍ୟ ବର୍ଷାହେଲେ ରାସ୍ତାର ଜଳ ସଠିକ ନିଷ୍କାସନ ହୋଇପାରୁନାହିଁ ଏବଂ ଘର ମାନଙ୍କରେ ପାଣି ପଶୁଛି । ନାଳ ଗୁଡିକ ବୈଷୟିକ ଦୃଷ୍ଟିକୋଣର ହୋଇନଥିବା ହେତୁ ଏଭଳି ସମସ୍ୟା ଦେଖାଯାଉଛି । ଡ୍ରେନେଜ୍ ଡିଭିଜନ୍ ଏବଂ ବ୍ରହ୍ମପୁର ମହାନଗର ନିଗମ ମିଳିତ ଭାବେ ସଠିକ ଡିପିଆର୍ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ଜଣାଇ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଭାଗ ଗୁଡିକ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା, ଜିଲ୍ଲା ଜରୁରୀକାଳିନ ବିଭାଗ ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ସକାଶେ ବିଭିନ୍ନ ବିଭାଗ ଦ୍ବାରା କାର୍ଯ୍ୟକାରି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ ।
ଜଳସେଚନ ବିଭାଗ ପକ୍ଷରୁ କେନାଲ ଗୁଡିକ ବର୍ଷା ଦ୍ବାରା ନଷ୍ଟ ହେଲେ ସେଗୁଡିକ ସୁରକ୍ଷା ନିମନ୍ତେ ଯଥେଷ୍ଟ ବାଲିବସ୍ତା, ବାଉଁଶ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିବା ଅବଗତ କରାଯାଇଥିଲା । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ପୋଖରୀ ଏବଂ ସାଗର ଗୁଡିକରେ ସଠିକ୍ ପରିଚାଳନା କରି ଜଳ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରାଗଲେ ଜିଲ୍ଲାର ଚାଷୀ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସକାଶେ ସମସ୍ତ ତହସିଲ ଗୁଡିକରେ ଥିବା ପୋଖରୀ , ସାଗର , ଜଳାଶୟ ଗୁଡିକର ସଠିକ ତର୍ଜମା କରି ଡି.ପି.ଆର କରି ସରକାରଙ୍କ ଠାରେ ଉପସ୍ଥାପନ କରିବା ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ରଖିଥିଲେ ।


ଯେଉଁ ସବୁ କେନାଲ ଗୁଡିକ ଦୁର୍ବଳ ରହିଛି ତାହାର ତାଲିକା ପ୍ରସ୍ତୁତ କରି ଆଗାମୀ ଦୁଇ ଦିନ ମଧ୍ୟରେ ମନ୍ତ୍ରୀ, ସାଂସଦ ଏବଂ ସଂପୃକ୍ତ ଅଞ୍ଚଳର ବିଧାୟକମାନଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ସାପୁଆ ନାଳ ଏବଂ ବାହାନା ନାଳ ସଫେଇ କରି ବର୍ଷା ଜଳ କିଭଳି ସଠିକ ଭାବରେ ନିଷ୍କାସନ ହେବ ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଦ୍ବାରା ଖାଦ୍ୟ ସାମଗ୍ରୀ ଯଥା ଚୁଡା, ଗୁଡ, ଚାଉଳ ଏବଂ କିରୋସିନ ମହଯୁଦ ଥିବା ଯୋଗାଣ ଅଧିକାରୀ ପୁଷାମୁ୍ଣ୍ଡା ଅବଗତ କରାଇଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ବିଭିନ୍ନ ଅତ୍ୟାବଶ୍ୟକ ଔଷଧ, ଓଆରଏସ୍ , ବ୍ଲିଚିଂ ପାଉଡର୍ ମହଯୁଦ ଥିବା ଓ ଆମ୍ବଲାନସ୍ ସେବା ଉପଲବ୍ଧ ଥିବା ଏବଂ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ତଥା ସମସ୍ତ ଚିକିତ୍ସା ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ କରାଇଥିଲେ ।
ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବର୍ଷା ଜନିତ ସାପକାମୁଡା ଔଷଧ ସମସ୍ତ ଦୁର୍ଗମ ଅଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମହଯୁଦ କରି ରଖିବା ସହିତ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବା ପାଇଁ ଅବଗତ କରିଛନ୍ତି। ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଚିକିତ୍ସା ନିମନ୍ତେ ଅତ୍ୟାବଶ୍ୟକ ହେଉଥିବା ଇସିଜି, ଉଚ୍ଚ ରକ୍ତଚାପ ଭଳି ଯନ୍ତ୍ରପାତି ରଖିବା ପାଇଁ ପ୍ରସ୍ତାବ ଦିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।


ପଶୁ ଚିକିତ୍ସା ସକାଶେ ଗୋ ଖାଦ୍ୟ ଓ ପଶୁ ସମ୍ପଦର ସୁରକ୍ଷା ପାଇଁ ଔଷଧ ସମେତ ସମସ୍ତ ବ୍ୟବସ୍ଥା ରହିଥିବା ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଅବଗତ କରାଇଥିଲେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଓଡ୍ରାଫ୍ ଟିମ୍ ଦ୍ବାରା ଅତ୍ୟାଧୁନିକ ଯନ୍ତ୍ରପାତି, ୨୭ ଗୋଟି ଗାଡି ପ୍ରଭୃତି ମହଯୁଦ ଥିବା ସମ୍ପୃକ୍ତ ବିଭାଗ ଅବଗତ କରାଇଥିଲେ ।

ଟିପିଏସଓଡିଏଲ୍ ଦ୍ବାରା ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ରହିଥିବା ଘର ଗୁଡିକର ବିଦ୍ୟୁତ୍ ସଂଯୋଗୀକରଣ ବ୍ୟବସ୍ଥା ଏବଂ ଏଥି ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ଖସଡା ଟ୍ରାନସଫର୍ମର ସ୍ଥାପନ, ବିଦ୍ୟୁତ ଖୁଣ୍ଟ ସ୍ଥାପନ ଓ ପରିବର୍ତ୍ତନ ଇତ୍ୟାଦି ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିବା ସହ ଘର ମାନଙ୍କରେ ସୌରଶକ୍ତି ସଂଯୋଗ ସମ୍ପର୍କିତ ବିବରଣୀ ଗୁଡିକ ଟିପିଏସଓଡିଏଲ୍ ଅଧିକ୍ଷଣ ଯନ୍ତ୍ରୀ ଚନ୍ଦନ ଗନ୍ତାୟତ ବୈଠକରେ ଅବଗତ କରାଇଥିଲେ ।


ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋ ରଞ୍ଜନ ଦ୍ୟାନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗଞ୍ଜାମରୁ ଫଟୋ ନ୍ୟୁଜ ଟାଇମ୍ସର ଜିଲ୍ଲା ପ୍ରତିନିଧି ପପୁନ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *