ରଥଯାତ୍ରାରେ ଅଘଟଣ। ରାଜ୍ୟ ସରକାର ସ୍ବୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୋଲିସ ଆକ୍ରମଣରେ ୭ରୁ ଉର୍ଦ୍ଧ ଗୁରୁତର ଆହାତ ହୋଇଛନ୍ତି। ଜଣେ ମହିଳା ସାମ୍ବାଦିକଙ୍କ ହାତରେ ୭ ଷ୍ଟିଜ ପଡିଛି । ଏହି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ସକାଳ ୮ଟାରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ ୫୨ ଜଣ ସାମ୍ବାଦିକ ବାହାରିଥିଲେ । ପୁରୀରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ। ସେମାନଙ୍କ ପାଇଁ କର୍ଡନ ପାସ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ସାମ୍ବାଦିକମାନେ ମୋଚି ସାହି ଦେଇ ଶ୍ରୀ ମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିଲେ। ହେଲେ ସେମାନଙ୍କୁ ପୋଲିସ ବ୍ୟାରିକେଡରେ ଛାଡି ନଥୁଲା । ସାମ୍ବାଦିକମାନେ ପୋଲିସକୁ କର୍ଡ଼ନ ପାସ ସହିତ ନିଜର ସାମ୍ବାଦିକ ପରିଚୟପତ୍ର ବି ଦେଖାଇଥିଲେ। କିନ୍ତୁ ପୋଲିସ ସାମ୍ବାଦିକଙ୍କୁ ଦୁବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ।
ଘଟଣା ସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ ୭ ଜଣ ଗୁରୁତର ଆହତ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ଲୋକମାନେ ଦଳାଚକଟା କରିଦେଥିଲେ। ସେହିପରି ଆଉ ଜଣେ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଆହତ ହୋଇଥିବା ବେଳେ ପ୍ରଦ୍ୟୁମ୍ନ
କୁମାର ମହାନ୍ତି, ସନତ ନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା। ତଥାପି ପୋଲିସର ଆକ୍ରମଣ ଥମି ନଥିଲା। ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୋଲିସ ଏତେ ଜୋରରେ ଠେଲି ଦେଇଥୁଲା ଯେ ତାଙ୍କ ହାତରେ ବଡ କ୍ଷତ ସୃଷ୍ଟି ହୋଇଛି। ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ହାତରେ ୭ ଷ୍ଟିଜ ପଡିଥିଲା। ଗିରିଧାରୀ ଲାଲ ଷଡଙ୍ଗୀଙ୍କ ଗୋଡରେ ଆଘାତ ହୋଇଛି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।