ଏହା ଏକ ଭଲ ଖବର। କାର୍ଯ୍ୟସ୍ଥଳକୁ ଯାଇ କାର୍ଯ୍ୟର ସମୀକ୍ଷା କଲେ ସୁଫଳ ମିଳିଥାଏ। କାର୍ଯ୍ୟପ୍ରତି ଅଧିକାରୀ ମାନଙ୍କ ଆନୁଗତ୍ୟ ମଧ୍ୟ ବଢିଥାଏ।
ରାୟଗଡା ଜିଲ୍ଲାର ଗୁଣୁପୁର ଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା। ରାୟଗଡା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ ରାମନାଗୁଡା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଚାକୁଣ୍ଡାଠାରେ ନିର୍ମାଣାଧିନ ଗ୍ରାମ୍ୟ ଔଦ୍ୟୋଗିକ ଉଦ୍ୟାନ ପରିଦର୍ଶନ କରି ସେଠାରେ ହେବାକୁ ଥିବା ବିଭିନ୍ନ ଉଦ୍ୟୋଗ ସମ୍ପର୍କରେ ପଚାରି ବୁଝିଥିଲେ। କୁଜେନ୍ଦ୍ରି ଗ୍ରାମ ପଞ୍ଚାୟତର କେପି କୁଡିଆର ମନରେଗା ଅଧିନ କେନାଲର ପୁନଃରୁଦ୍ଧାର ପ୍ରକଳ୍ପ ସମୀକ୍ଷାକରି ସେଠାରେ ନିୟୋଜିତ ଶ୍ରମିକମାନଙ୍କ ସହିତ ଆଲୋଚନା କରି ଯୋଜନାର ରୂପାୟନ ସମ୍ପର୍କରେ ପଚାରି ବୁଝିଥିଲେ।କୁଜେନ୍ଦ୍ରୀ ଠାରେ “ବିକଶିତ ଗାଁ, ବିକଶିତ ଓଡିଶା” ଦ୍ୱାରା ନିର୍ମାଣାଧିନ ଶିଶୁ ଉଦ୍ୟାନ ଓ ଗଦଗଦା ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପରିଦର୍ଶନ କରି ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତାମିଙ୍ଗିକୁଡିଆ ଗ୍ରାମର ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ହିତାଧିକାରୀଙ୍କ ସହିତ ଆଲୋଚନା କରି ତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଉକ୍ତ ଗସ୍ତ ସମୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ ନିର୍ବାହୀଯନ୍ତ୍ରୀ ସନମୁଖ ପାତ୍ର, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର,ଏପିଓ ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତୋଦୟ ଯୋଜନାରେ ପୂର୍ବରୁ ୧୮୮ଓ ବର୍ତ୍ତମାନ ୫୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିବା ବେଳେ ବର୍ତ୍ତମାନର ଅଧିକାଂଶ ହିତାଧିକାରୀ ଙ୍କୁ ପ୍ରଥମ କିସ୍ତି ମଧ୍ୟ ପହଁଞ୍ଚି ନଥିବାରୁ ତୁରନ୍ତ ସମାଧାନମୂଳକ ପଦକ୍ଷେପ ନେବାକୁ ହିତାଧିକାରୀ ପ୍ରକାଶ କରିଥିଲେ।
ଗୁଣପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ହୃଷିକେଶ ପାତ୍ରଙ୍କ ରିପୋର୍ଟ୍।
