କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟମନ୍ତ୍ରୀ ମକା ମିଶନର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଧାନ ପରେ, ମକା ରାଜ୍ୟରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ଭାବେ ପରିଗଣିତ ହେଉଛି। ଆଜିର ସମୟରେ ୧୫ଟି ଜିଲ୍ଲା ଓ ୪୫ ଟି ବ୍ଲକରେ ମକା ମିଶନ କାର୍ଯ୍ୟକରୁଛି l ଏହି ମିଶନ, ବିଭିନ୍ନ ସରକାରୀ ବିଭାଗ ଯଥା କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମିଶନ ଶକ୍ତି ଏବଂ ଓରମାସ ଇତ୍ୟାଦି ବିଭାଗମାନଙ୍କ ସହଭାଗିତାର ଏକ ଉତ୍କୃଷ୍ଟ ଉଦାହରଣ। ନିୟମିତ କ୍ରେତା-ବିକ୍ରେତା ବୈଠକ ମକା ବିପଣନରେ ସକାରାତ୍ମକ ପ୍ରଭାବ ପକାଇଛି।

ଏହି ଅବସରରେ ଦଶଗୋଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହା ମକାର ବିପଣନକୁ ମଜବୁତ କରିଛି। ମିଶନ ଅଧୀନରେ ଜିଲ୍ଲା ଅନୁଯାୟୀ ଏଫପିସିର ବଣ୍ଟନ ହେଉଛି। ଜଶୀପୁର ଏଫପିସିଏଲ (ଜଶୀପୁର, ମୟୂରଭଞ୍ଜ), ରାଣୀ ମାହାସ ଏଫପିସିଏଲ (କୋମନା, ନୂଆପଡ଼ା), ମାତା ଡଙ୍ଗରୀ ଏଫପିସିଏଲ (ଜୁନାଗଡ଼, ନବରଙ୍ଗପୁର), ସବୁଜିମା ଏଫପିସିଏଲ (ବୈପାରୀଗୁଡ଼ା, କୋରାପୁଟ), ମହେନ୍ଦ୍ରଗିରି ଏଫପିସିଏଲ (ନୂଆଗଡ଼, ଗଜପାଟି), ସିନେକ୍ସଟ ଏଫପିସିଏଲ (ଚମ୍ପୁଆ, କେନ୍ଦୁଝର), ସାବେରୀ ସେତୁ ଏଫପିସିଏଲ (ମାଥିଲି, ମାଲକାନଗିରି), ଗୁମପଦର ଏଫପିସିଏଲ (କେ. ନୂଆଗାଁ, କନ୍ଧମାଳ), ଘୁମୁସର ଏଫପିସିଏଲ (ଜଗନ୍ନାଥପ୍ରସାଦ, ଗଞ୍ଜାମ)। ଏମଓୟୁ ସ୍ୱାକ୍ଷର କରିଥିବା ଦଶ କ୍ରେତା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା କୁକୁଡ଼ା ଖାଦ୍ୟ ଶିଳ୍ପ ଓ ଇଥାନଲ ଉତ୍ପାଦନ କମ୍ପାନୀ ଅନ୍ତର୍ଭୁକ୍ତ ଅଟନ୍ତି। ଶେଷରେ, ଯୁଗ୍ମ କୃଷି ନିର୍ଦ୍ଦେଶକ (ଡାଲି ଏବଂ ତୈଳବୀଜ)-

ତଥା ନୋଡାଲ ଅଧିକାରୀ, ମୁଖ୍ୟମନ୍ତ୍ରୀ ମକା ମିଶନ, ଶ୍ରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି, ପ୍ରମୁଖ ମକା କ୍ରେତା, ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ। ଆଧୁନିକ ମକା ଚାଷ ପ୍ରଯୁକ୍ତି, ହାଇବ୍ରିଡ ବିହନ ଉତ୍ପାଦନର ସମ୍ଭାବନା, କଷ୍ଟମାଇଜଡ ଆଗ୍ରୋ-ସର୍ଭିସ ସେଣ୍ଟର ସ୍ଥାପନ ଏବଂ ସ୍ୱତନ୍ତ୍ର କିସମ ମକାର ପ୍ରୋତ୍ସାହନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଭୁବନେଶ୍ୱରରୁ ସୁଶ୍ରୀ ସଙ୍ଗୀତା ମହାରଣା ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
