SI ପରୀକ୍ଷା ଜାଲିଆତିକୁ ନେଇ ବର୍ଷିଲା ବିଜେଡି

SI ପରୀକ୍ଷା ଜାଲିଆତିକୁ ନେଇ ବର୍ଷିଲା ବିଜେଡି । ତୁରନ୍ତ ସିବିଆଇ ତଦନ୍ତ ନହେଲେ ଆସନ୍ତା ୬ ତାରିଖରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ । ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ଚେତାବନୀ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ ଏବଂ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ।

ଚିନ୍ମୟ ସାହୁ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମାର୍ଚ୍ଚ ୭ ତାରିଖରେ SI ପରୀକ୍ଷାକୁ ବାତିଲ କରାଯାଇଥିଲା । ସେତେବେଳେ ବିଜେପି ନେତାଙ୍କୁ ଭାଗ କମ୍ ମିଳିଥିଲା । ସେଥିପାଇଁ କ୍ୟାସ୍ ଫର୍ ଜବ୍ ଅପରେଶନ ଆରମ୍ଭ ହେଲା । ପଞ୍ଚସଫ୍ଟକୁ ଦାୟିତ୍ଵ ଦିଆଗଲା । ପାର୍ବଣ ସମୟରେ ଜାଣିଶୁଣି ପରୀକ୍ଷା କରାଗଲା । ଏହା ଯୋଜନାବନ୍ଧ ଅପରାଧ । ଓପିଆର୍‌ବି ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ତାଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ପୋଲ୍ ଖୋଲିଦେବେ । ସେଥିପାଇଁ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ । ତୁରନ୍ତ ସିବିଆଇ ତଦନ୍ତ ନହେଲେ, ଆସନ୍ତା ୬ ତାରିଖରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ ।

ସେହିଭଳି SI ପରୀକ୍ଷା ଦୁର୍ନୀତିର ତଦନ୍ତ ସ୍ଵଚ୍ଛତାର ସହ ହେବ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରୀତିରଞ୍ଜନ ଘଡାଇ । କାହିଁକି ତଦନ୍ତଭୁକ୍ତ ହେଉନାହାନ୍ତି ଓପିଆର୍‌ବି ଅଧ୍ୟକ୍ଷ ଓ ଗୃହ ବିଭାଗ ସଚିବ ? ପୋଲିସ ଚୋରକୁ ଧରିବା ବଦଳରେ ଛାଡିବାକୁ ବ୍ୟବସ୍ଥା କରିଥିଲା କି ତିନୋଟି ସଂସ୍ଥାକୁ ଆଉଟସୋର୍ସିଂ କରି ? କାହା ଦସ୍ତଖତରେ ଏ ତିନୋଟି ସଂସ୍ଥାକୁ ଆଉଟସୋର୍ସିଂ ଦେବାରେ ? ତଦନ୍ତ ପ୍ରକ୍ରିୟାକୁ ନେଇ ସମସ୍ତେ ସନ୍ଦେହ କରୁଛନ୍ତି । ଢେଙ୍କାନାଳ ଲିଙ୍କ୍ ରହିଛି ।

ମୁଖ୍ୟମନ୍ତ୍ରୀ ଯଦି ସ୍ଵଚ୍ଛ ତେବେ ଓପିଆର୍‌ବି ଅଧ୍ୟକ୍ଷ ଓ ଗୃହ ବିଭାଗ ସଚିବଙ୍କୁ ତଦନ୍ତଭୁକ୍ତ କରନ୍ତୁ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଯିଏ ତଦନ୍ତ କରୁଛନ୍ତି ସେ ଓପିଆର୍‌ବି ଅଧ୍ୟକ୍ଷଙ୍କ ଘନିଷ୍ଠ ବନ୍ଧୁ । କି ତଦନ୍ତ ହେବ ? କେମିତି ଯୁବବର୍ଗ ନ୍ୟାୟ ପାଇବେ ? ତୁରନ୍ତ କେସ୍‌କୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ସରକାର ବୋଲି ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ।

Leave a Reply

Your email address will not be published. Required fields are marked *