ବଡନାଳ ପ୍ରଖର ପାଣିରେ ପୋଛିନେଲା ଗରିବଙ୍କ ଦାନାପାଣି। ସହାୟତା ନମିଳିଲେ ଦାଦନ ଏକମାତ୍ର ଆଶାବାଡି। ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ବନ୍ୟାଜଳ ନିଷ୍କାସନ ଦ୍ୱାରା ପ୍ରଭାବିତ ଜରିପଙ୍ଗା ଗ୍ରାମବାସୀ। ପ୍ରଶାସନଙ୍କ ସହାୟତା ନମିଳିଲେ ଜୀବନ ଜୀବିକା ପାଇଁ ଦାଦନ ଏକମାତ୍ର ଆଶାବାଡି।

ପଦ୍ମପୁର ବ୍ଲକ ଅନ୍ତର୍ଗତ ତେମ୍ବାଗୁଡା ଗ୍ରାମପଞ୍ଚାୟତ ଜରିପାଙ୍ଗା ଗ୍ରାମର ଗରିବ ଚାଷୀଙ୍କ ଜୀବନ ଜୀବିକା ସହିତ ଚାଷ ଜମି ଗୁଡ଼ିକ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ବନ୍ୟା ଜଳ ନିଷ୍କାସନରେ ଧୋଇ ହୋଇ ଅନେକ କ୍ଷୟକ୍ଷତି ହୋଇଯାଇଛି। ପ୍ରକାଶ ଥାଉକି ଗ୍ରାମର ଉପର ମୁଣ୍ଡରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଅବସ୍ଥିତ। ଚଳିତ ମାସ ଗତ ୨ ତାରିଖରେ ପ୍ରକଳ୍ପର ଉପର ମୁଣ୍ଡରେ ଅର୍ଥାତ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ଫଳରେ ବଡନାଳ ଡ୍ୟାମରୁ ୬ ଗୋଟି ଫାଟକ ଖୋଲି ବନ୍ୟା ଜଳ ନିଷ୍କାସନ କରାଯାଇଥିଲା ।

ଫଳରେ ଜରିପାଙ୍ଗା ଗ୍ରାମର ଗରିବ ଚାଷୀ ବନ୍ୟା ଜଳରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜରିପଙ୍ଗା ଗ୍ରାମର ଗରିବ ଲୋକଙ୍କ ଜମି ବଡନାଳ ଅବବାହିକରେ କଉ ଆବାହମାନ କାଳରୁ ପିତାମହଙ୍କ ଅମଳରୁ ଚାଷବାସ କରି କୁଟୁମ୍ବ ପ୍ରତିପୋଷଣ କରି ଆସୁଥିବା ସୂଚନା ମିଳିଛି। ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବଡନାଳ ଡ୍ୟାମ ପାଣି ବିପଦ ସୀମା ଉଲଂଘନ କରିବାରୁ ଡ୍ୟାମର ସୁରକ୍ଷା ପାଇଁ ଗେଟ ଖୋଲି ପାଣି ଛାଡିଥିବା ଫଳରେ ନାଳର ଭୁ-ଜଳସ୍ତର ଠାରୁ ପ୍ରାୟ ୪୦ ଫୁଟ ଉଚ୍ଚତାରେ ପାଣି ବୋହି ଥିବା ଜରିପାଙ୍ଗା ଗ୍ରାମର ପ୍ରତକ୍ଷଦର୍ଶି ପ୍ରକାଶ କରିଥିଲେ। ନାଳରେ ଅତ୍ୟଧିକ ପାଣିର ପ୍ରଖର ସ୍ରୋତରେ କୁଳଖାଇ ଚାଷ ଜମି ଧସେଇ ପୋଛି ନେଇଛି। ଫଳରେ ଚାଷ ଜମି ସହିତ ବିଭିନ୍ନ ପ୍ରକାରର ଫସଲ ଧାନ, ମକା, କାନ୍ଦୁଲ, ଚଣା, ବାଇଗଣ, ଆମ୍ବ,ପଣସ, କାଜୁ, ଶାଗୁଆନ ଇତ୍ୟାଦି ଫଳଚାଷ ଓ ମୂଲ୍ୟବାନ ଗଛ ସହିତ ଅର୍ଥକାରୀ ଫସଲ କପା ଧୋଇନେବା ସହ ଜମିର ମାନଚିତ୍ରକୁ ବଦଳାଇ ଦେଇଛି।

ଏହି ପରିପ୍ରେକ୍ଷୀରେ ଜରିପାଙ୍ଗା ଗ୍ରାମବାସୀ ଲିଖିତ ଭବେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଅଭିଯୋଗ ଆଧାରରେ ଗୁଣୁପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଳ ଅଭିଷେକ ଦିଲୀପ,ପଦ୍ମପୁର ତହସିଲଦାର ଶଙ୍କର ବାଗ, କେନ୍ଦୁଗୁଡା ସର୍କଲ ରାଜସ୍ବ ନିରୀକ୍ଷକ ରାଜକିଶୋର ନିମଲପୁରୀ, ବଡନାଳ ପ୍ରକଳ୍ପ ବିଭାଗୀୟ ଯନ୍ତ୍ରୀ, ଭାରପ୍ରାପ୍ତ ଏସ.ଡ଼ି.ଓ ଉପସ୍ଥିତ ରହି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷତିଗସ୍ତ ଚାଷୀଙ୍କୁ ସାନ୍ତ୍ୱନା ମୂଳକ ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ କରିଥିଲେ। ଜରିପାଙ୍ଗା ଲୋକଙ୍କ ସରକାରଙ୍କୁ ଅନୁରୋଧ କରିଛନ୍ତି ବର୍ତ୍ତମାନ ଆମକୁ ସରକାର ଓ ପ୍ରଶାସନ ଭରଷା। ନଚେତ୍ ଜୀବନ ଜୀବିକା ପାଇଁ ଦାଦନ ହିଁ ଆଶାବାଡି।

ଡବଲ ଇଞ୍ଜିନ ସରକାରର ଚାଷୀ ମାନଙ୍କ ପ୍ରତି ମାତ୍ରାଧିକା ଦରଦ ଥିବା ବିଜ୍ଞାପନ ମାଧ୍ୟମରେ ଜନସାଧାରଣ ଙ୍କୁ ଜଣାଉଛନ୍ତି। କିନ୍ତୁ ଆମେ ଏଠାରେ ସୁଦୂର ରାୟଗଡା ଜିଲ୍ଲାରୁ ଗ୍ରାଉଣ୍ଡ ଜିରୋର ରିପୋର୍ଟ ପ୍ରସାରଣ କରୁଅଛୁ। ବାସ୍ତବ କ୍ଷେତ୍ରରେ ବର୍ଷା ଯୋଗୁଁ କନ୍ଧମାଳ, ରାୟଗଡା ଏବଂ ବୌଦ୍ଧ ଜିଲ୍ଲାରେ ହୋଇଥିବା କ୍ଷୟ କ୍ଷତିକୁ ରାଜ୍ୟ ବିପତି ଘୋଷଣା କରି ସରକାର ସହାୟତା ଦେବାର ଆବଶ୍ୟକତା ଅଛି। ନଚେତ ଗ୍ରାମ ବାସୀଙ୍କ ପାଇଁ ବିକଳ୍ପ ହେବ ଦାଦନ ଖଟିବା।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
