କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ସହର ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନିକଟରେ ରଙ୍ଗୀନ ଆଲୋକରେ ଗେଟ୍ ନିର୍ମାଣ ହୋଇଛି । ଏହି ଝଲସୁଥିବା ମନଲୋଭା ଗେଟ୍ ଦେଖିବା ପାଇଁ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । କେନ୍ଦ୍ରାପଡ଼ା ସହର ସମେତ ପୁରପଲ୍ଲୀରୁ ଲୋକମାନଙ୍କ ଭିଡ଼ ଜମୁଛି କେନ୍ଦ୍ରାପଡ଼ା ସହର ସମେତ ଏହାର ଉପକଣ୍ଠରେ ହୋଇଥିବା ରଙ୍ଗୀନ ଆଲୋକମାଳାର ଗେଟ୍ ଦେଖିବା ପାଇଁ । ଗଜଲକ୍ଷ୍ମୀ ପୂଜା ପାଇଁ ଏବେ ପ୍ରତି ଘରେ ବନ୍ଧୁବାନ୍ଧବ ଓ କୁଣିଆ ମୈତ୍ରଙ୍କ ଭିଡ଼ ଲାଗି ରହିଛି । ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁମାନେ ଗଜଲକ୍ଷ୍ମୀ ପୂଜାକୁ ଉପଭୋଗ କରୁଛନ୍ତି । ସନ୍ଧ୍ୟାରେ ସହରର ନୂଆ ବସଷ୍ଟାଣ୍ଡ, ଗଣାମାହାଲ, ମହିପାଳ, ବଣିଆମାଳ, କାକଟ, ଲକ ପୋଲ, ମୀରପାଟଣା, ନସଡ଼ିପୁର, ସାନ୍ତସାହି ପୋଲ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ ବଜାର, ବଳଗଣ୍ଡି, ଅଯୋଧ୍ୟାନଗର ପ୍ରମୁଖ ସ୍ଥାନ ଆକର୍ଷଣୀୟ ଆଲୋକମାଳାରେ ଝଲସି ଉଠୁଛି । ପୂଜା ପାଇଁ ସହରରେ ପ୍ରବଳ ଗହଳି ମଧ୍ୟ ଲାଗି ରହିଛି । ସହରରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ୧୫ପ୍ଲାଟୁନ ପୁଲିସ ବଳ ଜଗି ରହିଛନ୍ତି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଏସପି ସିଦ୍ଧାର୍ଥ କଟ୍ଟାରିଆ ନିଜେ ପରିଚାଳନା କରୁଛନ୍ତି । ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଅତିରିକ୍ତ ଏସପି, ୧୩ଜଣ ଡିଏସପି, ୧୭ଜଣ ଇନସପେକ୍ଟର କାର୍ଯ୍ୟ କରୁଛନ୍ତି । ସହରର ବିଭିନ୍ନ ସ୍ଥାନରେ ୧୨୨ଜଣ ସବଇନସପେକ୍ଟର ଓ ଏ.ଏସ.ଆଇ.ଙ୍କୁ ମୁତୟନ କରାଯାଇଛି । ଲୋକଙ୍କୁ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରିବା ପାଇଁ ପୁଲିସ କ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ଏସ୍ପି ଶ୍ରୀ କଟ୍ଟାରିଆ ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ଲଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହର
