କନ୍ଧମାଳ ଜିଲ୍ଲା ଫୁଲବାଣୀ ନାରାୟଣୀ ପାହାଡ଼ ଠାରେ ସରକାରୀ ଜମିରେ ହୋଇଥିବା ଜବରଦଖଲ ଉପରେ ଶେଷକେ ପଡିଲା ପ୍ରଶାସନର ବୁଲ୍ଡୋଜର । ଫୁଲବାଣୀ ତହସିଲଦାରଙ୍କ ନିର୍ଦ୍ଦେଶରେ ଏହି ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ସୂତ୍ର ଅନୁସାରେ, ସରକାର ପକ୍ଷରୁ ବାରମ୍ବାର ସୂଚନା ପ୍ରଦାନ ସତ୍ତେବି ସରକାରୀ ଶିକ୍ଷକ କୈଳାଶ ମିଶ୍ର ଏବଂ ତାଙ୍କ ପରିବାର ଏହାକୁ ଅବହେଳା କରିଥିଲେ । ମିଶ୍ରଙ୍କ ନାମରେ ଅନେକ ଜମି ବାଡ଼ି ବାବଦରେ ମାମଲା ରୁଜୁ ହୋଇଥିବା ସୂଚନା ମଧ୍ୟ ପ୍ରଚାରିତ ହୋଇଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଶେଷକେ କାର୍ଯ୍ୟରତ ହୋଇଛି । ଖବର ମିଳିଛି, କୈଳାଶ ମିଶ୍ର ୮ଟି ଘର ନିର୍ମାଣ କରିଥିଲେ ଯାହାରୁ ଗୋଟିଏ ଘରକୁ ପ୍ରତିମାସ ୪ ହଜାର ଟଙ୍କାରେ ଭଡା ଦିଆଯାଉଥିଲା । ସେମାନେ ସରକାରୀ କର୍ମଚାରୀ ହେଇଥିଲେ ମଧ୍ୟ ପାହାଡ଼ରେ ଗଛ କାଟି ନିଜର ଆଧିପତ୍ୟ ବିସ୍ତାର କରିଥିବାରୁ ଏହା ସାଧାରଣ ମଧ୍ୟରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି। ଉଚ୍ଛେଦ କାର୍ଯ୍ୟ ସମୟରେ କିଛି ସରକାରୀ କର୍ମଚାରୀ, ବିଶେଷକରି ଶିକ୍ଷା ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସାଧାରଣଙ୍କ ଅଭିଯୋଗ, ସ୍ବାସ୍ଥ୍ୟ ବିଭାଗର କେତେକ କର୍ମଚାରୀ ଅଧିକାଂଶ ସମୟ କାର୍ଯ୍ୟାଳୟକୁ ଯାଆନଥିବା ସତ୍ବେବି , କିପରି ସେମାନଙ୍କର ଦସ୍ତଖତ ହୋଇଆସୁଛି, ସେଥିରେ ପ୍ରଶ୍ନ ଉଠିଛି । ଏହି ଘରଗୁଡ଼ିକରେ କିଛି ଛାତ୍ର ପଡ଼ିବା ପାଇଁ ଭଡାରେ ରହୁଥିଲେ । ହଠାତ୍ ଉଚ୍ଛେଦ କାର୍ଯ୍ୟ ହୋଇଥିବାରୁ ସେମାନଙ୍କ ପାଇଁ ବହୁତ କଷ୍ଟ ସୃଷ୍ଟି ହୋଇଛି । ସେମାନଙ୍କ କଥା, “ଯଦି ଆଗରୁ ଘରମାଲିକ ଜଣାଇଥାନ୍ତେ, ଆମେ କିଛି ବିକଳ୍ପ ବ୍ୟବସ୍ଥା କରିଥାନ୍ତୁ” ।
ଏହି ଘଟଣାରୁ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ନିରବତା ନେଇ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ମତାନୁସାରେ, ଏପରି ଅମାନିଆ ସରକାରୀ କର୍ମଚାରୀଙ୍କୁ ସରକାର କଠୋରତାର ସହିତ ଛାଟବାଜିବା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
କନ୍ଧମାଳ ଜିଲ୍ଲାରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ଚାଲିଲା ବୁଲ୍ଡୋଜର, ଭାଙ୍ଗିଲା ସରକାରୀ କର୍ମଚାରୀଙ୍କ ଜବର ଦଖଲ ଘର।
