ଶ୍ରମିକମାନଙ୍କ ସମସ୍ୟାକୁ ସମାଧାନ କର, ନଚେତ୍ ଫେବୃଆରୀ ୧୨ ଦେଶ ବ୍ୟାପି ଆନ୍ଦୋଳନ ହେବ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଂଘ (AICCTU) ତରଫରୁ ଉତ୍ତର ପ୍ରଦେଶ ର ଆଶା କର୍ମୀ ମାନଙ୍କ ଆନ୍ଦୋଳନ କୁ ସମର୍ଥନ କରି ଏକ ଶୋଭାଯାତ୍ରା କରିବା ସହ ୟୁ ପି ର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଉତ୍ତର ପ୍ରଦେଶର ଆଶା କର୍ମୀମାନେ ବହୁ କଷ୍ଟ ସତ୍ତ୍ବେ ନିଜର ଦାୟିତ୍ବ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଛନ୍ତି। ସେମାନଙ୍କ କଠିନ ପରିଶ୍ରମ ଯୋଗୁଁ ହିଁ ରାଜ୍ୟର ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ମାତୃ ଓ ଶିଶୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। କ୍ରମାଗତ ପରିଶ୍ରମ ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ କିମ୍ବା ସେମାନଙ୍କ ପାରିଶ୍ରମିକରେ କୌଣସି ବୃଦ୍ଧି କରାଯାଇ ନାହିଁ। ଏହା ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶର ଆଶା ଏବଂ ସଙ୍ଗିନୀ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଗତ ବର୍ଷଗୁଡ଼ିକରେ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ଘୋଷିତ ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହୋଇଛନ୍ତି।

୪୫ତମ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ଆଶା ଏବଂ ଆଶା ସଙ୍ଗିନୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ସରକାରୀ କର୍ମଚାରୀଙ୍କ ଅନୁରୂପ ସେମାନଙ୍କୁ ଦରମା ପ୍ରଦାନ କରିବା, ଆଶା କର୍ମୀଙ୍କ ପାଇଁ ₹୨୧,୦୦୦/- ଏବଂ ଆଶା ସଙ୍ଗିନୀଙ୍କ ପାଇଁ ₹୨୮,୦୦୦/- ଦରମା ଲାଗୁ କରିବା, ଆଶା ଏବଂ ଆଶା ସଙ୍ଗିନୀଙ୍କୁ EPF, ESI ଏବଂ ଯାତ୍ରା ଭତ୍ତା ସୁବିଧା ଯୋଗାଇ ଦେବା ଦାବୀ କରିଛନ୍ତି। ଏହି ଆନ୍ଦୋଳନରେମୁନି ଶବର, ବିଜୟ ଶବର,ସୁଜାତା ପଣ୍ଡା, ଶ୍ରୀମତୀ ଶବର, ମୁକ୍ତିଲତା ଶବର, ପ୍ରଭା ବିଡିକା, ସବିତା ଶବର, ମୁକ୍ତା ଶବର, ମଣି ଶବର, ରାଜେନ୍ଦ୍ର ମାଝୀ ସେବତୀ ଶବର, ସୁନାମି ଶବର ଓ ଅନେକ ଉପସ୍ଥିତ ଥିଲେ। ମହାସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ ଉଦବୋଧନ ଦେଇଥିଲେ।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
