କିନ୍ନରଙ୍କ ମୃତ୍ୟୁ ଘଟଣାର ନ୍ୟାୟ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି କିନ୍ନର ସମାଜ।
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର କିନ୍ନର ଅଜିତ ବିଷୋୟୀଙ୍କ ଆତ୍ମହତ୍ୟା ଘଟଣାରେ ବୁଧୁବାର ଦିଗପହଣ୍ଡି-ଚିକିଟି ରୋଡ କାଳିଆ ନଗର ବାସିନ୍ଦା ଉମେଶ ମହାରଣା ଓରଫ ବବୁଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ “ସଖୀ” କିନ୍ନର ସଂଘ ପକ୍ଷରୁ ଦିଗପହଣ୍ଡି ଥାନା ଘେରାଉ କରାଯିବା ସହ ନାରାବାଜି କରାଯାଇଥିଲା । ଚିକିଟି ଏସ.ଡି.ପି.ଓ ବିଶ୍ଵନାଥ ହରପlଲ ଉତ୍ୟକ୍ତ କିନ୍ନରଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନାପ୍ରକାରେ, ୧୧ ତାରିଖ ସକାଳୁ ଦିଗପହଣ୍ଡି ଭୁଇ ବାଉରୀ ସାହି ଦଣ୍ଡନାଚ ପାର୍ଟି ଫାସିଗୁଡା ଗ୍ରାମରେ ନାଟକ ପରିବେଷଣ କରୁଥିଲେ କିନ୍ତୁ ହଟାତ ଶନିବାର ସକାଳୁ ନାଟକ ସମାପ୍ତ ହେବା ପରେ କିନ୍ନର ଅଜିତ ଆତ୍ମହତ୍ୟା କରିଦେଇ ଥିବା ଦେଖିବାକୁ ମିଳିଥିଲା ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ମାନସିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। କିନ୍ନର ଅଜିତ ଓ ଅଭିଯୁକ୍ତ ଉମେଶ ଉଭୟ ଦଣ୍ଡନାଚରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ଉଭୟ ବ୍ରହ୍ମପୁର ଗାନ୍ଧୀନଗରରେ ଏକ ଭଡା ଘରେ ରହୁଥିଲେ ।
ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଭିଯୁକ୍ତ ଉମେଶ ବିଭିନ୍ନ ସମୟରେ ଅଜିତଙ୍କୁ ଟଙ୍କା ମାଗୁଥିଲେ। ଟଙ୍କା ନଦେଲେ ମାରପିଟ୍ କରିବା ସହ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ । ଚଳିତବର୍ଷ ଉଭୟ ଦଣ୍ଡନାଚରେ ନାଟକ ପରିବେଷଣ ନିମନ୍ତେ ମୁମ୍ବାଇ ଓ ସୁରତରୁ ବହୁ କିନ୍ନରଙ୍କୁ ଡାକିଥିଲେ । ସେ ସେମାନଙ୍କୁ ଗଞ୍ଜାମ ଜିଲାର ବିଭିନ୍ନ ଦଣ୍ଡନାଚକୁ ପଠାଇଥିଲେ । ଏପ୍ରିଲ ୧୦ ତାରିଖ ଦିନ ସେମାନେ କନିଷିରେ ନାଟକ ପରିବେଷଣ ସରିବା ପରେ ବିଶ୍ରାମ ନେଉଥିବା ସମୟରେ ଅଜିତ ଓ ଉମେଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଫଳରେ ଉମେଶ ଓ ଅଜିତ ଅଲଗା ଅଲଗା ହୋଇଯାଇଥିଲେ । ପୁଣି ତା ପରଦିନ ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମରେ ବସାଘରେ ବିଶ୍ରାମ ନେଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଅଜିତ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ । ଶନିବାର ସକାଳୁ ଘର ମାଲିକ ସାଇକେଲ ନେବାକୁ ଆସିବା ପରେ କବାଟ ଖୋଲା ରହିଥିବା ଦେଖିଥିଲେ । ଘର ଭିତରକୁ ଯାଇ ଯାଞ୍ଚ ବେଳେ କିନ୍ନର ଅଜିତଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏ ନେଇ ଥାନାରେ ଏକ ମାମଲା(୧୪୧/୨୫) ରୁଜୁ ହୋଇଥିଲା । ଅଭିଯୁକ୍ତ ଉମେଶ କିନ୍ନର ଅଜିତଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି । କିନ୍ତୁ ଦିଗପହଣ୍ଡି ଆଇ ଆଇ ସି ପ୍ରଶାନ୍ତ ପାତ୍ର ଙ୍କ ତଦନ୍ତ ସଠିକ ନୁହେଁ ବୋଲି ଅନ୍ୟ କିନ୍ନର ମାନେ ଅଭିଯୋଗ ଆଣି ଦିଗପହଣ୍ଡି ଥାନା କୁ ଘେରାଉ କରିଥିଲେ ଓ ଉପଯୁକ୍ତ ନ୍ୟାୟ ଦାବି କରିବା ସହ ଏହାର ଉଚ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି।
ଗଞ୍ଜାମ ରୁ ଫଟୋ ନ୍ୟୁଜ ଟାଇମ୍ସ ର ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ ରିପୋର୍ଟ