ନୂତନ ବାଗଦେବୀ ମନ୍ଦିର ଶୁଭସ୍ତମ୍ଭ ସ୍ଥାପନ

ନୂତନ ବାଗଦେବୀ ମନ୍ଦିର ଶୁଭସ୍ତମ୍ଭ ସ୍ଥାପନ। ଜୁନ ୪ ତାରିଖରେ ହେବ ପ୍ରତିଷ୍ଠା ଉତ୍ସବ। ବାଗଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଭଞ୍ଜକବି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବାଗଦେବୀଙ୍କ ପିଠରେ କାଳଜୟୀ କାବ୍ୟ ବୈଦେହୀ ବିଳାସ କାବ୍ୟ ରଚନା କରିଥିଲେ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ଥିବା ବହୁପୁରାତନ ମା’ ଭଗବତୀ ରାଜ ରାଜେଶରୀଙ୍କ କାୟା (ବାଟ) ବାଗଦେବୀ ମନ୍ଦିର ନୂତନ ପ୍ରାସାଦ ଉତ୍ସବ ଜୁନ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ହେବ । ତେଣୁ ଶୁକ୍ରବାର ମନ୍ଦିର ସମ୍ମୁଖରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ତାଙ୍କ ସହଧର୍ମିଣୀ ମଧୁମିତା ନାୟକ ପୂଜାପାଠରେ ସହଯୋଗ କରିଛନ୍ତି।

କର୍ତ୍ତା ଭାବେ ବଳରାମ ଦାଶ ଏବଂ ତାଙ୍କ ସହଧର୍ମିଣୀ ବିଜୟ ଲକ୍ଷ୍ମୀ ପାଢ଼ୀ ଯୋଗ ଦେଇଛନ୍ତି । ଶୁଭ ସ୍ତମ୍ଭ ସ୍ଥାପନ ପୂର୍ବରୁ ମନ୍ଦିର କର୍ମକର୍ତ୍ତା କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଆଜି ପ୍ରତ୍ୟୁଷରୁ ଆଜ୍ଞାମାଳ ଧରି ଏକ ଶୋଭାଯାତ୍ରାରେ ଭଞ୍ଜନଗର ଭେଜିପୁଟ ଶ୍ରୀଶ୍ରୀ ଗୁପ୍ତେଶ୍ୱର ଶିବ ମନ୍ଦିରରେ ପହଞ୍ଚି ଥିଲେ । ଏହା ପରେ ଶିବ ମନ୍ଦିର ଠାରୁ ପୁଣି ଶୋଭାଯାତ୍ରା ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ, ଖାଲାସିସାହି, ମେନରୋଡ, ଥାନା ଛକ, ବସଷ୍ଟାଣ୍ଡ ହୋଇ ବାଗଦେବୀ ରୋଡ ବାଗଦେବୀ ମନ୍ଦିରରେ ପହଞ୍ଚିଥିଲା । ଏହାପରେ ପୂଜା ପାଠ ପରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା। ଏହି ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୂରଲୀ ପଣ୍ଡା, ପ୍ରମୋଦ ଦଳବେହେରା, ଡି ଚେଲପତି ରାଓ, ମନୋଜ ପଟ୍ଟନାୟକ, କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ରାଘବ ଆଚାର୍ଯ୍ୟ, ଜଗଦିଶ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ଗୁପ୍ତେଶ୍ୱର ସୁବୁଦ୍ଧି, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।


ସୂଚନା ଯୋଗ୍ୟ ଯେ ୨୦୨୩ ମସିହା ଭଞ୍ଜନଗର ଠାକୁରାଣୀ ଯାତ୍ରା ସମୟରୁ ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ପୁରାତନ ମନ୍ଦିରକୁ ଭଙ୍ଗା ଯାଇଥିଲା ଏବଂ ବିଗ୍ରହ ମାନେ ଅସ୍ଥାୟୀ ଗୃହରେ ସେବେ ଠାରୁ ପୂଜା ପାଇ ଆସୁଛନ୍ତି । ବାଗଦେବୀଙ୍କର ଭବ୍ୟ ମନ୍ଦିରର ଶୂଭ ସ୍ତମ୍ଭ ସ୍ଥାପନ ହେବା ପରେ ଶ୍ରଦ୍ଧାଳୁ ମାନେ ଉତ୍ସାହିତ ହୋଇ ପଡିଛନ୍ତି । ଭବ୍ୟ ମନ୍ଦିରରେ ମା ବାଗଦେବୀଙ୍କ ସ୍ଥାପନା ପରେ ଏଠାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିବାର ଆଶା କରାଯାଉଛି ।


ପ୍ରକାଶ ଥାଉକି ଭଞ୍ଜ ରାଜବଂଶର ଆରାଧ୍ୟା ଦେବୀ ବାଗଦେବୀଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୂଜା କରି ବୈଦେହୀଶ ବିଳାସ ଠାରୁ ଆରମ୍ଭ କରି ବହୁ କାଳଜୟୀ କାବ୍ୟ ରଚନା କରିଛନ୍ତି । ଠାକୁରାଣୀ ଯାତ୍ରା ସମୟରେ କୁଲାଡ ଠାରୁ ଦେବୀଙ୍କୁ ଅଣାଯାଇ ବିଶ୍ରାମ ନିମନ୍ତେ ବାଗଦେବୀ ମନ୍ଦିରରେ ଦେବୀଙ୍କୁ କିଛି ସମୟ ରଖାଯାଏ । ତେଣୁ ଏହି ମନ୍ଦିରର ବିଶେଷତ୍ବ ବଢିଯାଏ । ବାଗଦେବୀ ଅର୍ଥାତ୍ ସରସ୍ବତୀଙ୍କ ମନ୍ଦିର ହୋଇଥିବାରୁ ଏହି ମନ୍ଦିର ତୋରଣରେ ସରସ୍ବତୀଙ୍କ ବିରାଟ ଢାଞ୍ଚା ଦେଖିବାକୁ ମିଳେ । କେହି କେହି ଦେବୀଙ୍କୁ ବ୍ୟାଘ୍ରଦେବୀ କହି ପୂଜାର୍ଚ୍ଚନା କରିଥାନ୍ତି ।
ଭଞ୍ଜନଗରରୁ ଫଟୋ ନ୍ୟୁଜ ଟାଇମସ୍ ର ଉପଖଣ୍ଡ ପ୍ରତିନିଧି ସୁବ୍ରତ କୁମାର ଦାଶଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *