ରାଜ୍ୟ କ୍ୟାବିନେଟ ବୈଠକ ପ୍ରସଙ୍ଗରେ ଗୁଣାତ୍ମକ ଶିକ୍ଷା, ୫ ହଜାର ଡାକ୍ତର ନିଯୁକ୍ତି, ଶୀତଳ ଭଣ୍ଡାର ସ୍ଥାପନା ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ : ମନମୋହନ ସାମଲ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିଛି । ବିଶେଷ ଭାବେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷିକଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଯାହାକି, ଆଗାମୀ ବିକଶିତ ଓଡିଶା ଗଠନ ଦିଗରେ ସହାୟକ ହେବ । ସ୍କୁଲ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ମୋହର ଲାଗିଛି । ପ୍ରତି ପଂଚାୟତରେ ଗୋଟିଏ ଅତ୍ୟାଧୁନିକ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯିବ, ଏଥି ପାଇଁ ରାଜ୍ୟ ସରକାର ୪ ବର୍ଷରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଦିଗରେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନକୁ ଅନୁମୋଦନ ମିଳିଛି । ସେହିପରି “ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା”କୁ ବିଧିଦଦ୍ଧ ଭାବେ କ୍ୟାବିନେଟ ଅନୁମୋଦନ କରିଛି । ଏହି ଯୋଜନାରେ ପ୍ରତି ବର୍ଷ ଗ୍ରାମଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ । ଓଡିଶାର ଡାକ୍ତର ଅଭାବକୁ ପୂରଣ କରିବା ପାଇଁ ନୂତନ ୫ ହଜାର ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଶୀତଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟରେ ଆହୁରି ପ୍ରୋତ୍ସାହନ ସୁବିଧା କରାଯାଇଛି । ଯେଉଁଠି ୬୦ ପ୍ରତିଶତ ସବସିଡି ଅର୍ଥ ରାଜ୍ୟ ସରକାର ଯୋଗାଇଦେବେ ।

ସେହିଭଳି ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପଦକ୍ଷେପ ନେବା ପାଇଁ ନିଷ୍ପତି ନେଇଛନ୍ତି । ଆସନ୍ତା ଫେବୃଆରୀ ୪ତାରିଖ ଦିନ ଷୋଡଶ ଅର୍ଥ କମିଶନ ଓଡିଶା ଗସ୍ତରେ ଆସୁଛନ୍ତି । ୨୦୨୬ – ୨୦୩୧ ଆର୍ଥିକ ବର୍ଷରେ ରାଜ୍ୟର ବିଭିନ୍ନ ପ୍ରସ୍ତାବ ସମ୍ବଳିତ ୧୨ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ମେମୋରେଣ୍ଡମ ପ୍ରଦାନ କରାଯିବାର ନିଷ୍ପତି କ୍ୟାବିନେଟରେ ନିଆଯାଇଛି । ଶିଳ୍ପ ନୀତି-୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ ମିଳିଛି, ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କ ଦାବୀକୁ ସଠିକ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ । ଆଜିର ଏହି ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ସରକାରଙ୍କ କ୍ୟାବିନେଟକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଜଣାଇଛନ୍ତି ।ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ବିକଶିତ ଓଡିଶା ଗଠନ ଦିଗରେ ଆଜିର ଏହି ନିଷ୍ପତି ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *