ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ ଓ ଜୟ ସମ୍ବିଧାନ’ ସମାବେଶ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରରେ ସାଧାରଣ ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଉଛି। ଡବଲ୍‌ ଇଞ୍ଜିନ୍‌ ସରକାର ଗାନ୍ଧୀବାଦକୁ ବିଲୋପ କରି ନାଥୁରାମବାଦ୍‌ର ପ୍ରଚଳନ ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି। ଆଜିର ସଂକଟମୟ ପରିସ୍ଥିତିକୁ ଗାନ୍ଧୀଜୀ, ଆମ୍ବେଦକରଙ୍କ ବିଚାରଧାରା ଓ ଦର୍ଶନ ହିଁ ସୁଧାରି ପାରିବ। ସମ୍ବିଧାନ ବଞ୍ଚିଲେ, ଭାରତ ବଞ୍ଚିବ ଓ ଲୋକମାନେ ତାଙ୍କର ଅଧିକାର ସାବ୍ୟସ୍ତ କରିପାରିବେ। ଏହିଭଳି ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀ।

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ ଓ ଜୟ ସମ୍ବିଧାନ’ ସମାବେଶ ଅନୁଷ୍ଠିତ ହୋଇଥିଲା। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚୌଧୁରୀ କହିଥିଲେ ଯେ ବିଜେପି, ଆରଏସ୍‌ଏସ୍‌ ଓ ମୋଦୀ ସରକାର ଆମ୍ବେଦକରଙ୍କ ବିଚାରଧାରାର ସଂପୂର୍ଣ୍ଣ ବିରୋଧୀ। ଛାତ୍ର କଂଗ୍ରେସ ଆଜାଦ୍‌ ହିନ୍ଦ ଫୌଜ ଭଳି ଏକ ବଳିଷ୍ଠ ରାଷ୍ଟ୍ରପ୍ରେମୀ ଓ କ୍ରାନ୍ତିକାରୀ ସଂଗଠନ ହେବ। ନିଟ୍‌ ପରୀକ୍ଷା ଦୁର୍ନୀତି ଓଡ଼ିଶାରେ ସରକାରୀ ଚାକିରିରେ ନିଯୁକ୍ତି, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ, ରୢାଗିଂ, ଶିକ୍ଷାନୁଷ୍ଠାନ ଭିତ୍ତିଭୂମି, ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ନାମଲେଖା ଜାଲିଆତି ଭଳି ପ୍ରସଙ୍ଗରେ ଛାତ୍ର କଂଗ୍ରେସ କ୍ୟାମ୍ପସ୍‌କୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବ ବୋଲି ସେ କହିଥିଲେ। ଉଦିତ ପ୍ରଧାନ କହିଥିଲେ, ଛାତ୍ର କଂଗ୍ରେସ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଏକ ପ୍ରଭାବୀ ସଂଗଠନ ପ୍ରସ୍ତୁତ କରିବ। ଛାତ୍ରମାନଙ୍କ ସ୍ବାର୍ଥ ପ୍ରତି ରାଜ୍ୟ ସରକାର ଯେଉଁ ଉଦାସୀନ ରହୁଛନ୍ତି ତା’ ବିରୋଧରେ ଦୁର୍ବାର ଛାତ୍ର ଆନ୍ଦୋଳନ ହେବ। ସଭା ପରେ ଛାତ୍ର କଂଗ୍ରେସ କର୍ମକର୍ତ୍ତମାନେ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ। ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *