ତଳି ରୋଇବାକୁ ନେଇ ଗୋଷ୍ଠୀ ସଂଘର୍ଷ।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ପେଟଛେଲା ଗ୍ରାମ ପଞ୍ଚାୟତରେ କୋଚିଳା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଖବର ପାଇ ମହାକାଳପଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଧାନ ବିଲରେ ବର୍ଷା ପାଣି ଜମି ରହିଥିବାରୁ ପୁଲିସକୁ ଆଣ୍ଠୁଏ କାଦୁଏରେ ପଶି ଯିବାକୁ ପଡିଥିଲା । ଶେଷରେ ଉଭୟ ଗୋଷ୍ଠୀକୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ । ଏହାପରେ ପୁଲିସ ଉଭୟ ଗୋଷ୍ଠୀକୁ ଥାନାକୁ ଆଣିଛି । ଥାନାରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦର ସମାଧାନ କରିବାକୁ ନେଇ ଆଲୋଚନା ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଖବର ନେବାରୁ ଜଣାପଡିଛି କୋଚିଳା ଗ୍ରାମରେ ଥିବା ଏକ ଜମିରେ ଏକ ପରିବାର ଦୀର୍ଘ ଦିନ ହେବ ଚାଷ କରୁଛନ୍ତି । ହେଲେ ଏହାକୁ ଅନ୍ୟ ଏକ ପରିବାର ବିରୋଧ କରୁଛନ୍ତି । ଏହି ବିବାଦକୁ କେନ୍ଦ୍ରକରି ପୂର୍ବରୁ ଥାନାରେ ବୈଠକ ବସିଥିଲା ।

ଏହାପରେ ରାମଚଣ୍ଡୀଙ୍କ ପୀଠରେ ମଧ୍ୟ ବୈଠକ ବସିଥିଲା । ଏହି ଜମି ଉପରେ ରମେଶ ଚନ୍ଦ୍ର ବେହେରାଙ୍କ ପରିବାରର ଅଧିକାର ରହିଛି ଓ ନିରାକାର ସ୍ୱାଇଁଙ୍କ କୌଣସି ଅଧିକାର ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ହେଲେ ଏହି ନିଷ୍ପତ୍ତିକୁ ନିରାକାର ସ୍ୱାଇଁଙ୍କ ପରିବାର ସଦସ୍ୟମାନେ ଯୋର ଜବରଦସ୍ତ ତଳି ରୋଉଥିଲେ । ଏହି ଖବର ପାଇ ରମେଶ ବେହେରାଙ୍କ ପରିବାର ସଦସ୍ୟ ଓ ତାଙ୍କ ସମର୍ଥକମାନେ ନିରାକାର ସ୍ୱାଇଁଙ୍କ ପରିବାର ଓ ତାଙ୍କ ସମର୍ଥକମାନଙ୍କୁ ଧାନ ବିଲରେ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବାଡିଆପିଟା ହୋଇଥିଲା । ଏ ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣା ସ୍ଥଳକୁ ଯାଇଥିଲା । ହେଲେ ବର୍ଷା ଯୋଗୁଁ ବିଲରେ ପାଣି ଅଧିକ ରହିଥିଲା । ତେଣୁ ପୁଲିସ କର୍ମଚାରୀମାନେ କାଦୁଅରେ ପ୍ରାୟ ଏକ କିମି ପଶି ଗଣ୍ଡଗୋଳ ସ୍ଥଳକୁ ଯାଇଥିଲେ । ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ସେମାନଙ୍କୁ ଥାନାକୁ ଡାକି ଆଲୋଚନା କରିଛି । ଏ ସଂକ୍ରାନ୍ତରେ ମହାକାଳପଡ଼ା ଥାନାଧିକାରୀ ରାଜେନ୍ଦ୍ର ମହାପାପତ୍ରଙ୍କୁ ପଚାରିବାରୁ ସେ କହିଲେ ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ଦୁଇଟି ମାମଲା ରୁଜୁ କରାଯାଇଛି । ରମେଶ ବେହେରାଙ୍କ ପରିବାର ସେଠାରେ ଚାଷ କରିବେ । ନିରାକାର ସ୍ୱାଇଁ ଚାଷ କରିପାରିବେ ନାହି।
କେନ୍ଦ୍ରାପଡ଼ାରୁ ଲଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
