ଭୁବନେଶ୍ୱରରେ ମାତିଛନ୍ତି ଚନ୍ଦନ କାଠ ଚୋର।

ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଚନ୍ଦନ କାଠ ଚୋରଙ୍କ ଦୌରାତ୍ମ୍ୟ ଚର୍ଚ୍ଚାରେ। ୨୦୨୫ ମସିହାରେ ରାଜଭବନ ପରିସରରୁ ଚନ୍ଦନ ଗଛ ଚୋରି ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ସ୍ପଷ୍ଟ ନିଷ୍କର୍ଷରେ ପହଞ୍ଚିନଥିବା ବେଳେ, ଏବେ ହାଇ-ସିକ୍ୟୁରିଟି ଜୋନ୍‌ରେ ଥିବା ଜୟଦେବ ଭବନ ପରିସରରୁ ବିଶାଳକାୟ ଚନ୍ଦନ ଗଛ ଚୋରି ହୋଇଥିବା ଅଭିଯୋଗ ନୂଆ ପ୍ରଶ୍ନ ସୃଷ୍ଟି କରିଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଅଞ୍ଚଳରୁ ଏତେ ବଡ଼ ଗଛ କେମିତି କାଟି ନେଇଗଲେ ଚୋର? ସୁରକ୍ଷାକର୍ମୀମାନେ ସେତେବେଳେ କଣ କରୁଥିଲେ। ପରିସରରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ଥିଲା କି ନାହିଁ। ଯଦି ଥିଲା, ତେବେ ଫୁଟେଜ୍‌ରେ କାହିଁକି କୌଣସି ସନ୍ଦେହଜନକ ଚିତ୍ର ଧରାପଡ଼ିଲା ନାହିଁ।

ଘଟଣାକୁ ନେଇ ସୁରକ୍ଷାକର୍ମୀ ଓ ଗାର୍ଡେନରଙ୍କ ଭୂମିକା ଉପରେ ମଧ୍ୟ ସନ୍ଦେହ ଦେଖାଦେଇଛି। ଭିତର ଲୋକଙ୍କ ସହଯୋଗ ବିନା ଏପରି ଚୋରି ସମ୍ଭବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଚନ୍ଦନ କାଠର ଅନ୍ତର୍ଜାତୀୟ ବଜାରରେ ଉଚ୍ଚ ମୂଲ୍ୟ ଥିବାରୁ ଏହା ପଛରେ ଏକ ସଂଗଠିତ ଚୋର ଚକ୍ର ସକ୍ରିୟ ଥିବା ସନ୍ଦେହ କରାଯାଉଛି।

ରାଜଭବନରୁ ଜୟଦେବ ଭବନ ପର୍ଯ୍ୟନ୍ତ ଲଗାତାର ଚନ୍ଦନ ଗଛ ଚୋରି ଘଟଣା ପୋଲିସ ଓ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟଦକ୍ଷତାକୁ ପ୍ରଶ୍ନବାଚୀ କରିଛି। ଏବେ ସମସ୍ତଙ୍କ ନଜର ରହିଛି ତଦନ୍ତ ଉପରେ।ଚୋର ଚକ୍ରର ପର୍ଦ୍ଦାଫାଶ ହେବ ନା ଏହି ମାମଲା ମଧ୍ୟ ଫାଇଲ୍‌ ଭିତରେ ସୀମିତ ରହିଯିବ।

ସୁରକ୍ଷାରେ ତ୍ରୁଟି ନା ଭିତରିଆ ସଂପୃକ୍ତି। ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *