ଆଳିରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା।

କାର କାଚ ଭାଙ୍ଗିବାରୁ ମାରିଦେଲେ।ଏସପିଙ୍କ ସାମ୍ବାଦିକ ସମ୍ମିଳନୀ।
ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ଯୁବକ ଗୌରାଙ୍ଗ ସେଠୀ ଘଟଣାରେ ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏ ନେଇ ସୋମବାର ସନ୍ଧ୍ୟାରେ ଏସପି ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ପ୍ରତାପ ମହାକୁଡ଼, ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, ବବୁଲ ମହାକୁଡ଼, ଲିପୁ ମହାକୁଡ଼, ବବଲୁ ଦାସ ଓ ଟୁଟୁନି ମହାକୁଡ଼ । ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଲୁହା ରଡ, ରକ୍ତ ଭିଜା ବାଉଶ ବାଡି, ଏକ ବୋଲେରୋ, ୭ଟି ମୋବାଇଲ ଫୋନ, କାଚ ଗ୍ଲାସ ପୁଲିସ ଜବତ କରିଛି । ଏସପି ଶ୍ରୀ କଟ୍ଟାରିଆ କହିଛନ୍ତି ମେ ୨୮ ତାରିଖରେ ଗୌରାଙ୍ଗ ମହାଦେଇପାଟଣା ଗ୍ରାମର ପ୍ରକାଶ ପାଣ୍ଡବ ନାମକ ଜଣେ ବ୍ୟକ୍ତିଙ୍କୁ କାର କାଚ ଓ ଏହି ଅଞ୍ଚଳର ସରପଞ୍ଚ ମନୋଜ ସାହୁଙ୍କ ବାଇକ ଭାଙ୍ଗି ଦେଇଥିଲେ । ଏ ନେଇ ଉଭୟ ପ୍ରକାଶ ଓ ମନୋଜ ଗୌରାଙ୍ଗଙ୍କ ବାପା ଅରୁଣ ସେଠୀଙ୍କୁ ଜଣାଇଥିଲେ ।

ଗୌରାଙ୍ଗଙ୍କ ବାପା ଏବେ କାମକୁ ଯାଉଛନ୍ତି ସନ୍ଧ୍ୟାରେ ଆସିଲେ ଏ ବିଷୟରେ ବୁଝିବେ ବୋଲି କହିଥିଲେ । ହେଲେ ସେହିଦିନ ଅଭିଯୁକ୍ତମାନେ ଗୌରାଙ୍ଗଙ୍କୁ ବୋଲେରୋରେ ବ୍ରାହ୍ମଣୀ ନଦୀ କୂଳରୁ ଅପହରଣ କରି ନେଇଥିଲେ । ଏହି ସମୟରେ ଗୌରାଙ୍ଗ ନଦୀକୁ ଗାଧୋଇ ଯାଇଥିଲେ । ଏହାପରେ ତାଙ୍କୁ ବାଡି ଓ ଲୁହା ରଡରେ ପିଟି ପିଟି ମାରି ଦେଇଥିଲେ । ଗୌରାଙ୍ଗଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଦେଇଥିଲେ ।

ଏ ନେଇ ଗୌରାଙ୍ଗଙ୍କ ଆଳି ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲା । ଏହାକୁ ନେଇ ଭୀମ ଆର୍ମି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏସସି ଏସି କମିଟି ପକ୍ଷରୁ ମନୋରଞ୍ଜନ ଜେନା ଏସପି, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାସହ ଜାତୀୟ ମାନବାଧିକାର ଆୟୋଗରେ ମାମଲା କରିଥିଲେ । ବିଭିନ୍ନ ମହଲରୁ ଚାପ ପଡିବା ପରେ ୭ ଦିନ ପରେ ଗଳିତ ଶବ ଉଦ୍ଧାର କରାଯାଇଥିଲା । ଏହାପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଅତିରିକ୍ତ ଏସପି ସୁଧାକର ସାହୁ, ପଟ୍ଟାମୁଣ୍ଡାଇ ଏସପିପିଓ ସୁକାନ୍ତ ପାତ୍ର, ଆଳି ଥାନାଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ଓ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *