ଖୋର୍ଦ୍ଧା ଜିଲ୍ଲାର ବିଭିର୍ଣ୍ଣ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ଖୋର୍ଦ୍ଧା ଜିଲ୍ଲାର ବିଭିର୍ଣ୍ଣ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ଓଡିଶାର ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥା ନେଇ ପୁନର୍ବାର ଗଭୀର ଚିନ୍ତା ପ୍ରକଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ସରଳସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏହି ସମସ୍ୟାର ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛି। ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ଶିକ୍ଷା ବ୍ୟବସ୍ଥା ପ୍ରାୟ ଭାବେ ଭୁଶୁଡି ପଡିଛି।

ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୌଳିକ ଶିକ୍ଷାରେ ମଧ୍ୟ ପଛ ପଡୁଛନ୍ତି। ବିଶେଷ କରି ଇଂରାଜୀ ବିଷୟରେ ସେମାନଙ୍କର ଦକ୍ଷତା ଅତ୍ୟନ୍ତ ଦୁର୍ବଳ ଥିବା କଥା ସାମ୍ନାକୁ ଆସିଛି। କେତେକ ଛାତ୍ରଛାତ୍ରୀ ସରଳ ଇଂରାଜୀ ଶବ୍ଦର ବନାନ କରିବାରେ ମଧ୍ୟ ବିଫଳ ହେଉଛନ୍ତି। ଏହା ଶିକ୍ଷକମାନଙ୍କର ପାଠଦାନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି।

ଅଭିଭାବକମାନେ କହୁଛନ୍ତି ଯେ, ବିଦ୍ୟାଳୟରେ ନିୟମିତ ଶିକ୍ଷା ଦିଆଯାଉ ନାହିଁ। କେତେକ ଶିକ୍ଷକ ଠିକ ସମୟରେ ବିଦ୍ୟାଳୟକୁ ଆସୁ ନାହାନ୍ତି l ଆସିଲେ ମଧ୍ୟ ପାଠ ପଢ଼ାରେ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି। ପଢ଼ା ଠାରୁ ବେଶି ପ୍ରଶାସନିକ କାମ କିମ୍ବା ଅନ୍ୟ କାର୍ଯ୍ୟରେ ସମୟ ବ୍ୟୟ କରୁଥିବା କଥା ମଧ୍ୟ ସ୍ଥାନୀୟବାସିନ୍ଦା ମାନେ ସୂଚନା ଦେଇଛନ୍ତି l

ଏହା ସହିତ ଅଭିଭାବକମାନଙ୍କ ମଧ୍ୟରେ ଏକ ଅନ୍ୟ ଚିନ୍ତା ମଧ୍ୟ ଦେଖା ଦେଇଛି। ସେମାନଙ୍କ ମତରେ, ସରକାରୀ ସ୍କୁଲର ଗୁଣସ୍ତର କମିବା ସହିତ ଲୋକମାନେ ବାଧ୍ୟ ହୋଇ ପ୍ରାଇଭେଟ ସ୍କୁଲ ଦିଗକୁ ଝୁକୁଛନ୍ତି। ଏହା ଫଳରେ ଗରିବ ଓ ମଧ୍ୟମ ବର୍ଗୀୟ ପରିବାର ଅର୍ଥନୈତିକ ଚାପରେ ପଡୁଛନ୍ତି। କେତେକ ଅଭିଭାବକ ମଧ୍ୟ ଏହା ଅଭିଯୋଗ କରିଛନ୍ତି ଯେ, ସରକାରୀ ସ୍କୁଲକୁ ଅଣ ଦେଖା କରା ଯାଉଛି ଏବଂ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାଇଭେଟ ସ୍କୁଲକୁ ବଢାଇବାର ପ୍ରୟାସ ହେଉଛି।

ଏହି ଘଟଣା କେବଳ ସରଳସିଂହ ବିଦ୍ୟାଳୟରେ ସୀମିତ ନୁହେଁ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପରି ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ସରକାରୀ ସ୍କୁଲରେ ଶିକ୍ଷାର ଗୁଣସ୍ତର ହ୍ରାସ ପାଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ ହେଉଛି।

ଶିକ୍ଷାବିଦ୍ମାନେ କହୁଛନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ଶିକ୍ଷକ ମାନଙ୍କର ଦାୟିତ୍ୱବୋଧ ବଢାଇବା ସହିତ ପ୍ରଶାସନିକ ନିରୀକ୍ଷଣକୁ ମଜବୁତ କରିବା ଆବଶ୍ୟକ। ସେଥିପାଇଁ ଶିକ୍ଷାର ଗୁଣତ୍ୱ ବୃଦ୍ଧି ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବା ଦରକାର।

ସରକାରଙ୍କ ପକ୍ଷରୁ ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଇ ଜିଲ୍ଲାର ପ୍ରତ୍ୟକ ସ୍କୁଲକୁ ଯାଞ୍ଚ କରି ଶୀଘ୍ର ପଦକ୍ଷେପ ନେବାକୁ ଦାବି ଉଠିଛି। ନ ହେଲେ ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରତି ଲୋକମାନଙ୍କର ଆସ୍ଥା ଆଉ ଅଧିକ କମିଯିବାର ଆଶଙ୍କା ରହିଛି।
ବ୍ୟୁରୋ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *