ଅଶାନ୍ତ ଚିକିଟି: ଦିନ ଦୁପରେ ମହିଳାଙ୍କୁ ବିବସ୍ତ୍ର କରି ନିର୍ମମ ଆକ୍ରମଣ!
୩ ଦିନରେ ୨ଟି ଲଜ୍ଜାଜନକ ଘଟଣା – ପୋଲିସ ନିଷ୍କ୍ରିୟତାକୁ ନେଇ ଜନରୋଷ ଚରମରେ ବିସ୍ତୃତ
ପାତ୍ରପୁର, ୨୪/୦୩:
ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ଗଭୀର ପ୍ରଶ୍ନ ଉଠିଛି। ଏକ ଏମିତି ବର୍ବରୋଚିତ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ମନୁଷ୍ୟତା ଲଜ୍ଜିତ ହୋଇପଡ଼େ।
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଜରଡ଼ା ଥାନା ଅଧୀନରେ ଥିବା ଖାରିଆଗୁଡା ପୋଲିସ ପାଣ୍ଡି ଅନ୍ତର୍ଗତ ତୁରିବୁଡି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାଳକୃଷ୍ଣ ଗୌଡ଼ଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଗୌଡ଼ ଜଣେ ନିର୍ଦୋଷ ମହିଳାଙ୍କୁ ଗାଁ ମଝି ରାସ୍ତାରେ ଅର୍ଦ୍ଧଉଲଗ୍ନ କରି ଟାଣି ଟାଣି ବିବସ୍ତ୍ର କରି ନିର୍ମମ ଭାବେ କିଛି ମହିଳା ଓ ପୁରୁଷ ମାନେ ଆକ୍ରମଣ କରାଯାଇଥିବା ଅଭିଯୋଗ ମିଳିଛି।ଦିନ ଦୁପରେ ଏପରି ଘଟଣା ଘଟିବା ଘଟଣାକୁ ଆହୁରି ଚମକପୂର୍ଣ୍ଣ କରିଛି।

ଏହି ଘଟଣା କେବଳ ଏକ ଅପରାଧ ନୁହେଁ, ବରଂ ସମାଜର ମାନବିକ ମୂଲ୍ୟବୋଧ ଉପରେ ଏକ ଖୋଲା ଆକ୍ରମଣ। ଚିକିଟି ଅଞ୍ଚଳର ଇତିହାସରେ ଏଭଳି ଘୃଣ୍ୟ ଓ ଲଜ୍ଜାଜନକ କାଣ୍ଡ କେବେ ଘଟିନଥିବା ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି।
ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ଗତ ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଏପରି ଗୁରୁତର ଘଟଣା। ଲଗାତାର ଅପରାଧ ଘଟୁଥିବା ସତ୍ତ୍ୱେ, ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାକୁ ପହଞ୍ଚିଛି।
ଅଭିଯୋଗ ଅନୁସାରେ, ଘଟଣା ପରେ ମଧ୍ୟ ଅଭିଯୁକ୍ତମାନେ ଖୋଲାମେଳା ଘୁରୁଥିବାବେଳେ, ପୋଲିସ ହାତ ଉପରେ ହାତ ଧରି ବସିଥିବା ଭାବନା ସୃଷ୍ଟି ହେଉଛି। ଏହା ପୋଲିସର କାର୍ଯ୍ୟକୁଶଳତା ଓ ପାରିବା ପଣିଆ ଉପରେ ଗଭୀର ପ୍ରଶ୍ନ ଉଠାଇଛି।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ଦେଖାଦେଇଛି। ବିଶେଷକରି ମହିଳାମାନେ ନିଜ ସୁରକ୍ଷାକୁ ନେଇ ଆତଙ୍କିତ। ରାତି ତ ଦୂର, ଦିନେ ମଧ୍ୟ ବାହାରୁଥିବାକୁ ଭୟ କରୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର ଶାସ୍ତି ଦେବାକୁ ଦାବି କରିଛନ୍ତି।
ନାରୀ କେତେ ସୁରକ୍ଷିତ?
ଏବେ ଦେଖିବାକୁ ରହିଲା, ପ୍ରଶାସନ କେବେ ନିଦ ଭାଙ୍ଗିବ ଓ ଦୋଷୀମାନଙ୍କୁ କେବେ ଆଇନର କଟଘରାକୁ ଆଣିବ।
ଗଞ୍ଜାମ ତୁରୁବୁଡି ରୁ ପପୁନ କୁମାର ଷଡ଼ଙ୍ଗୀ ଫୋଟ ନ୍ୟୁଜ
